ପାଟଣାରେ ଗଡ଼ିଲା ରାଜସ୍ବ ରଥ, ଲୋକଙ୍କ ଘର ପାଖରେ ଯୋଗାଇବ ସେବା

Published By : Prameya-News7 Bureau | May 17, 2021 IST

ପାଟଣା,୧୭/୫: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ପକ୍ଷରୁ ସୋମବାର ଠାରୁ ରାଜସ୍ୱ ରଥ ଗଡ଼ିଛି। ନିର୍ଦ୍ଧାରିତ ସମୟ ଭିତରେ ଲୋକେ ବିଭାଗର ସମସ୍ତ ପ୍ରକାର ସେବା ପାଇ ପାରିବେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ୫ ଟି କାର୍ଯ୍ୟକ୍ରମରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି।

ଇଣ୍ଟରନେଟ ସୁବିଧା ନଥିବା କିମ୍ବା ଡିଜିଟାଲ ସ୍ବାକ୍ଷର ଅଭାବ ଥିବା ଅଞ୍ଚଳର ଲୋକେ ସହାୟତା ପାଇଁ ତହସିଲ ଅଫିସ କିମ୍ବା ମୋ ସେବା କେନ୍ଦ୍ରକୁ ଆସୁଛନ୍ତି।ରାଜ୍ୟରେ କୋଭିଡ ୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ତଥା କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କୋଭିଡ ପରିଚାଳନା ନିର୍ଦ୍ଦେଶବଳୀ ଅନୁଯାୟୀ ରାଜସ୍ୱ କାର୍ଯ୍ୟାଳୟରେ ଜନ ସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି। କୋଭିଡ ୧୯ ମହାମାରୀ ସମୟରେ ନାଗରିକ ମାନଙ୍କୁ ନିରବଛିନ୍ନ ଭାବରେ ରାଜସ୍ୱ ସେବା ଯୋଗାଇଦେବା ପାଇଁ ସୋମବାର ପାଟଣା ତହସିଲ କାର୍ଯ୍ୟାଳୟ ପକ୍ଷରୁ (ରାଜସ୍ବ ରଥ) ସେବା ପ୍ରଦାନର ଏକ ଅଭିନବ ପ୍ରୟାସ ପ୍ରଥମ ଥର ପାଇଁ ଆରମ୍ଭ କରିଛି।

ଏହି ରଥ ତହସିଲର ବିଭିନ୍ନ ଆର, ଆଇ ସର୍କଲ ଓ ପ୍ରତି ଗ୍ରାମକୁ ପରିକ୍ରମା କରି ଲୋକ ମାନଙ୍କୁ ନିଜର ଆୟ ପ୍ରମାଣପତ୍ର, ଦାଖଲ ଖାରଜ ମାମଲା, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ପ୍ରଦାନ କରାଯିବ। ଆଜି ପ୍ରଥମ ଦିନରେ ସୋରାସକେଲା ଗ୍ରାମର ୧୧ ଜଣଙ୍କୁ ଜମିପଟ୍ଟା, ବିବିଧ ପ୍ରମାଣ ପତ୍ର, ପ୍ରଦାନ କରାଯାଇଥିଲା।ତହସିଲ ପକ୍ଷରୁ ସୁପର ଭାଇଜର ବନମାଳି ମହାନ୍ତ, ଅମଲା ରମାକାନ୍ତ ମହାନ୍ତ, ପାଟଣା ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ, ସୋରାସକେଲା ରାଜସ୍ବ ନିରୀକ୍ଷକ ବୁଦ୍ଧଦେବ ମହାନ୍ତ, ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗାଇ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.