ଫିକା ପଡିଲା ଋତୁରାଜଙ୍କ ବିସ୍ଫୋରକ ଶତକ, ଜୟଶଓ୍ଵାଲ ଓ ଶିବମ ଦୁବେଙ୍କ ଧୁଆଁଧାର ଅର୍ଦ୍ଧଶତକରେ ଚେନ୍ନାଇକୁ ୭ ଓ୍ଵିକେଟ୍‌ରେ ମାତ୍ ଦେଲା ରାଜସ୍ଥାନ

Published By : Prameya-News7 Bureau | October 02, 2021 IST

ଆବୁଧାବି ୦୨।୧୦: ଆଇପିଏଲର ୪୭ ତମ ରାଜସ୍ଥାନ ଓ ଚେନ୍ନାଇ ମ୍ୟାଚ୍‌ରେ ହେଲା ରନର ବର୍ଷା। ଚଳିତ ସଂସ୍କରଣର ଦ୍ଵିତୀୟ ସିଜିନରେ ଏହି ମ୍ୟାଚ୍‌ରେ ହିଁ ଦେଖିବାକୁ ମିଳିଛି ଛକା-ଚୌକା ବର୍ଷା। ଯଶସ୍ଵୀ ଜୟଶଓ୍ଵାଲ ଓ ଶିବମ ଦୁବେଙ୍କ ଧୁଆଁଧାର ଅର୍ଦ୍ଧଶତକ ଆଗରେ ଫିକା ପଡିଲା ଚେନ୍ନାର ଓପନର ଋତୁରାଜ ଗାଏଓ୍ଵାର୍ଡଙ୍କ ବିସ୍ଫୋରକ ଶତକ। ନିଜ ପାଇଁ କର ବା ମର ସଦୃଶ ଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଥିବା ଚେନ୍ନାଇ ସୁପରକିଙ୍ଗ୍ସକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଋତୁରାଜ ଗାଏକଓ୍ଵାଡଙ୍କ ଅପରାଜିତ(୧୦୧) ଶତକ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ୪ ଓ୍ଵିକେଟ୍ ହରାଇ ୧୮୯ ରନର ବଡ ସ୍କୋର କରିଥିଲା। ଜବାବରେ ଯଶସ୍ଵୀ ଜୟଶଓ୍ଵାଲ(୫୦) ଓ ଶିବମ ଦୁବେଙ୍କ ଅପରାଜିତ ୬୪ ରନ ବଳରେ ୧୭.୩ ଓଭରରେ ୩ ଓ୍ଵିକେଟ୍ ହରାଇ ରାଜସ୍ଥାନ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ଟୂର୍ଣ୍ଣାମେଣ୍ଟରେ ପ୍ରତ୍ୟାବର୍ତ୍ତନ କରି ପ୍ଲେଅଫ ଦୌଡରେ ନିଜର ଆଶା ଉଜ୍ଜିବୀତ ରଖିଛି। ଦଳ ୧୨ ମ୍ୟାଚ୍‌ରୁ ୫ ବିଜୟ ସହ ୧୦ ପଏଣ୍ଟ  ହାସଲ କରି ପଏଣ୍ଟ ଟେବୁଲର ସପ୍ତମରେ ରହିଛି। ପରାଜୟ ସତ୍ତ୍ଵେ ମଧ୍ୟ ଉନ୍ନତ ରନ ରେଟ୍ ଆଧାରରେ ଦିଲ୍ଲୀକୁ ପଛରେ ପକାଇ ଚେନ୍ନାଇ ଶୀର୍ଷରେ ରହିଛି।

୧୯୦ ରନର ବିଶାଳ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ନିଜର ଦୁଇ ଓପନର ଯଶସ୍ଵୀ  ଜୟଶଓ୍ଵାଲ ଓ ଏଭିନ ଲୁଇସ୍ ଅବିଶ୍ଵସନୀୟ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରି ଚେନ୍ନାଇ ବୋଲରଙ୍କ ନିଦ ହଜାଇ ଦେଇଥିଲେ। ବିଶେଷ କରି ଯୁବ ବ୍ୟାଟସମ୍ୟାନ ଜୟଶଓ୍ଵାଲ ଚୌକା ଓ ଛକା ବର୍ଷା କରି ମାତ୍ର ୧୯ ବଲ୍‌ରେ ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ୫ ଓଭରରେ ଓପନିଂ ଯୋଡି ୭୫ ରନ ଯୋଡିଥିଲେ। ଏଭିନ ଲୁଇସ୍ ୭୭ ରନ ସ୍କୋରରେ ଆଉଟ୍ ହୋଇଥିଲେ। ସେ ମାତ୍ର ୧୨ ବଲ୍‌ରୁ ୨ ଚୌକା ଓ ୨ ଛକା ସହ ୨୭ ରନ କରିଥିଲେ। ହେଲେ ଓପନର ଦ୍ଵୟ ରାଜସ୍ଥାନ ବିଜୟ ପାଇଁ ଦୃଢ ମୂଳଦୁଆ ପକାଇଥିଲେ। ଏହା ପରେ ଜୟଶିଓ୍ଵାଲ ୨୧ ବଲ୍‌ରୁ ୬ ଚୌକା ଓ ୩ ଛକା ବଳରେ ୫୦ ରନର ଧୂଆଁଧାର ଇନିଂସ ଖେଳିଥିଲେ। ପଦାର୍ପଣ ମ୍ୟାଚ୍ ଖେଳୁଥିବା କେଏମ ଆସିଫ ନିଜର ପ୍ରଥମ ବଲ୍‌ରେ ଯଶସ୍ଵୀଙ୍କ ଓ୍ଵିକେଟ୍ ନେଇଥିଲେ।

ପ୍ରଥମ ୬ ଓଭରର ପାଓ୍ଵାର ପ୍ଲେରେ ରାଜସ୍ଥାନ ରୟାଲ୍ସ ୮୧ ରନ ସଂଗ୍ରହ କରି ୨ ଓ୍ଵିକେଟ୍  ହରାଇଥିଲା। ଏହା ପରେ ସଞ୍ଜୁ ସାମସନ ଓ ଶିବମ ଦୁବେ ଇନିଂସକୁ ଆଗକୁ ବଢାଇଥିଲେ। ଖାସ୍ କରି ଶିବମ ଦୁବେ କ୍ରିଜକୁ ଆସିବା ମାତ୍ରେ ଚେନ୍ନାଇ ବୋଲରଙ୍କ ଉପରେ ଆକ୍ରମଣ କରିଥିଲେ। ଯଶସ୍ଵୀ ଜୟଶଓ୍ଵାଲଙ୍କ ପରି ଦୁବେ ଛକା ଓ ଚୌକା ମାରି ଦଳକୁ ବିଜୟ ଆଡକୁ ନେଇଥିଲେ। ସେ ୩୨ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସଞ୍ଜୁ ସାମସନ ୨୮ ରନ କରି ଆଉଟ୍ ହୋଇଥିଲେ। ହେଲେ ସେ ଶିବମ ଦୁବେଙ୍କ ସହ ତୃତୀୟ ଓ୍ଵିକେଟ୍‌ରେ ୮୯ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ଦୁବେ ଶେଷ ପର୍ଯ୍ୟନ୍ତ ରହି ଦଳକୁ ୫ ଓ୍ଵିକେଟ୍‌ରେ ବିଜୟୀ କରାଇଛନ୍ତି। ରାଜସ୍ଥାନ ୧୭.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଚେନ୍ନାଇ ୭ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ଦୁବେ ୪୨ ବଲ୍‌ରୁ ୪ ଚୌକା ଓ ୪ ଛକା ସହ ୬୪ ରନ ଏବଂ ଗ୍ଲେନ ଫିଲିପ୍ସ ୮ ବଲ୍‌ରୁ ଏକ ଛକା ଏକ ଚୌକା ସହ ୧୪ ରନରେ ଅପରାଜିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.