ଶେଷ ଓଭରରେ ଓଲଟିଲା ମ୍ୟାଚ୍, ଫିକା ପଡିଲା ମୟଙ୍କ ଓ ରାହୁଲଙ୍କ ଶତକୀୟ ଇନିଂସ, ୨ ରନରେ ବାଜିମାରି ନେଲା ରାଜସ୍ଥାନ

Published By : Prameya-News7 Bureau | September 21, 2021 IST

ଦୁବାଇ ୨୧।୦୯: ମୟଙ୍କ ଅଗ୍ରଓ୍ଵାଲ ଓ ରାହୁଲ ପ୍ରଥମ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡିଲେ। ଲାଗୁଥିଲା ପଞ୍ଜାବ କିଙ୍ଗ୍ସ ସହଜ ବିଜୟ ହାସଲ କରି ନେବ। ହେଲେ ଶେଷ ମୂହୁର୍ତ୍ତରେ  ବଦଳିଗଲା ମ୍ୟାଚ୍‌ର ଗତିପଥ। ୧୯ ଓଭର ପର୍ଯ୍ୟନ୍ତ ବିଜୟର ଦ୍ଵାର ଦେଶରେ ଥିବା ପଞ୍ଜାବ କିଙ୍ଗ୍ସ ଶେଷ ଓଭରରେ ଝୁଣ୍ଟିଲା ଆଉ ୪ ରନ ମଧ୍ୟ ସଂଗ୍ରହ କରିପାରିନଥିଲା। ଆଉ ଜିତିବା ମ୍ୟାଚ୍‌କୁ ହାତଛଡା କଲା ପଞ୍ଜାବ। ଶେଷ ଓଭରରେ କାର୍ତ୍ତିକ ତ୍ୟାଗି ୨ଟି ଓ୍ଵିକେଟ୍ ନେଇ ମ୍ୟାଚ୍‌ର ମଙ୍ଗ ରାଜସ୍ଥାନ ଆଡକୁ ମୋଡିବା ସହ ଦଳକୁ ବିଜୟୀ କରାଇଛନ୍ତି। ଆଉ ରୋମାଞ୍ଚକର  ମୁକାବିଲାରେ ବାଜି ମାରି ନେଲା ରାଜସ୍ଥାନ ରୟାଲ୍ସ। ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୩୨ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପଞ୍ଜାବ କିଙ୍ଗ୍ସକୁ ୨ ରନରେ ପରାସ୍ତ କରି ଅବିଶ୍ଵସନୀୟ ବିଜୟ ହାସଲ କରିଛି। ଅନ୍ୟପଟେ ମୟଙ୍କ ଅଗ୍ରଓ୍ଵାଲଙ୍କ ୬୭ ରନ ଓ ରାହୁଲଙ୍କ ୪୯ ରନ ବେକାର ଯାଇଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଯଶସ୍ଵୀ ଜୟସଓ୍ଵାଲଙ୍କ ୪୯ ଏବଂ ଲୋମରରଙ୍କ ୪୩ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୧୮୫ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ପଞ୍ଜାବ କିଙ୍ଗ୍ସ ୪ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ୧୮୩ ରନ କରି ପାରିଛି। ମୟଙ୍କ ଅଗ୍ରଓ୍ଵାଲ(୬୭) ଓ କେଏଲ ରାହୁଲ(୪୯) ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ ମଧ୍ୟ ଦଳ ଶେଷ ଓଭରରେ ପରାଜିତ ହୋଇଛି। ପ୍ରଥମ ଓ୍ଵିକେଟ୍‌ରେ ୧୨୦ ରନ ଯୋଡି ଥିଲେ ଏହି ଓପନିଂ ଯୋଡି।

୧୮୬ ରନର ବିଜୟ  ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ କିଙ୍ଗ୍ସର ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦମଦାର ଆରମ୍ଭ କରିଥିଲେ। ଦୁଇ ବ୍ୟାଟସମ୍ୟାନ ନିଜର ଖ୍ୟାତି ମୁତାବକ ବ୍ୟାଟିଂ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଦୁଇ ଓପନର ରାଜସ୍ଥାନ ରୟାଲ୍ସ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଏହି କ୍ରମରେ ମୟଙ୍କ ଅଗ୍ରଓ୍ଵାଲ ଅର୍ଦ୍ଧଶତକ ହାସଲ କରିଥିଲେ। କେଏଲ ରାହୁଲ ୩୩ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୯ ରନ କରି ଆଉଟ୍ ହୋଇଛନ୍ତି। ଏଥିସହ ଅଗ୍ରଓ୍ଵାଲଙ୍କ ସହ ପ୍ରଥମ ଓ୍ଵିକେଟ୍‌ରେ ୧୧.୫ ଓଭରରେ ୧୨୦ ରନ ଯୋଡି ଦଳର ବିଜୟରେ ମୂଳଦୁଆ ପକାଇଥିଲେ। ଏହାପରେ ମୟଙ୍କ ୪୩ ବଲ୍‌ରୁ ୭ ଚୌକା ଓ ୨ ଛକା ସହ ୬୭ ରନ କରି ଆଉଟ୍ ହୋଇଥିଲେ। ତଥାପି ଦଳ ମ୍ୟାଚ୍‌ ହାରିଛି। ମାକ୍ରମ ୨୬ ଏବଂ ପୂରନ ୩୩ ରନ କରି ଆଉଟ୍ ହେବା ପରେ ପଞ୍ଜାବ କିଙ୍ଗ୍ସ ବିଜୟଠୁ ଦୂରେଇ ଯାଇଥିଲା। ଶେଷ ଓଭରରେ ଦଳ ୪ ରନ ମଧ୍ୟ କରି ପାରିନଥିଲା। ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୩ ରନ କରି ବିଜୟଠୁ ୨ ରନ ଦୂରରେ ରହିିଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.