ରାଜସ୍ଥାନର ରୋମାଞ୍ଚକର ବିଜୟ, ପଞ୍ଜାବ ହାତରୁ ମ୍ୟାଚ୍ ଛଡାଇନେଲେ ସାମସନ୍ ଓ ତେଓ୍ବାତିଆ

Published By : Prameya-News7 Bureau | September 28, 2020 IST

ସାରଜାର ୨୮।୯: ଛକା ଚୌକାରେ ଦୁଲୁକିଲା ସାରଜାର ଷ୍ଟାଡିୟମ୍ । ପ଼ଞ୍ଜାବ ହାତରୁ ମ୍ୟାଚ୍ ଛଡାଇ ନେଲେ ସଞ୍ଜୁ ସାମସନ୍‌ ଓ ରାହୁଲ ତେୱାତିଆ । ଫଳରେ ରାଜସ୍ଥାନ ଏହି ମ୍ୟାଚ୍‌ରେ ୪ ଓ୍ବିକେଟ୍‌ରେ ବିଜୟ ହାସଲ କରିଛି । ଆଇପିଏଲ୍‌ର ୧୩ ବର୍ଷର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ସାରଜାର ଅପେକ୍ଷାକୃତ ଛୋଟ ପଡିଆରେ ଉଭୟ ଦଳର ବ୍ୟାଟ୍‌ସମ୍ୟାନ୍ ଛକା ଚୌକା ବର୍ଷା କରିଥିଲେ ।

୨୨୪ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବଠାରୁ ମ୍ୟାଚ୍ ଛଡ଼ାଇ ନେଇଛି ରାଜସ୍ଥାନ ରୟାଲ୍‌ସ । ଉଭୟ ଦଳ ମୋଟ୍ ୨୯ଟି ଛକା ମାରିଥିଲେ । ସେଥିରୁ ପଞ୍ଜାବର ଖେଳାଳିମାନେ ୧୧ଟି ଛକା ମାରିଥିବାବେଳେ ରାଜସ୍ଥାନ ଖେଳାଳି ୧୮ଟି ଛକା ମାରିଛନ୍ତି।

ଏହି ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପଞ୍ଜାବ ଦଳ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା ।  ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଏବଂ କେଏଲ୍ ରାହୁଲ ଦମଦାର ବ୍ୟାଟିଂ କରି ରାଜସ୍ଥାନର ବୋଲରମାନଙ୍କ ନିଦ ହଜାଇ ଦେଇଥିଲେ । ପ୍ରଥମେ ବ୍ୟାଟିଂ କରି ମୟଙ୍କ ଅଗ୍ରୱାଲଙ୍କ ୫୦ ବଲ୍‌ରୁ ୭ଟି ଛକା ଏବଂ ୧୦ଟି ଚୌକା ବଳରେ ୧୦୬ ରନ୍ କରିଥିଲେ । ଅଧିନାୟକ କେଏଲ୍ ରାହୁଲ ଗୋଟିଏ ଛକା ୯ଟି ଚୌକା ବଳରେ ୭୯ ରନ୍ ହାସଲ କରିଥିଲେ ।

ତେବେ ୨୨୪ ରନ୍‌ର ଟାର୍ଗେଟ୍ ନେଇ ପଡିଆକୁ ଓହ୍ଲାଇଥିବା ରାଜସ୍ଥାନ ଦଳ ଆରମ୍ଭରୁ ବଡ ସ୍କୋର ଖେଳିବା ଆରମ୍ଭ କରିଥିଲା । ଦଳ ପକ୍ଷରୁ ଅଧିନା‌ୟକ ସ୍ମିଥ୍‌, ସଞ୍ଜୁ ସାମସନ୍‌ ଓ ରାହୁଲ ତେୱାତିଆ ଦମଦାର ବ୍ୟାଟିଂ ବଳରେ ଦଳ ୪ ଓ୍ବିକେଟ୍‌ରେ ବିଜୟୀ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.