ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ଓ ଦିଲ୍ଲୀ : ବିଜୟ ଧାରାକୁ ଫେରିବା ନେଇ ଲକ୍ଷ୍ୟ ରଖିଛି ରୟାଲ୍ସ

Published By : Prameya-News7 Bureau | October 09, 2020 IST

ଦୁବାଇ,୦୯|୧୦: ଚଳିତ ଆଇପିଏଲ୍‌ର ୨୩ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଗତ ୨ଟି ମ୍ୟାଚରେ ଅପରାଜେୟ ରହିଥିବା କ୍ୟାପିଟାଲ୍ସ ମନୋବଳ ଦୃଢ ରହିଛି । ଅନ୍ୟପଟେ ରୟାଲ୍ସ ଲଗାତର ୩ଟି ମ୍ୟାଚ୍‌ ହାରି ଚାପରେ ରହିଛି । ଦିଲ୍ଲୀ ବିପକ୍ଷ ମୁକାବିଲାରେ ପରାଜୟଧାରା ଭାଙ୍ଗିବା ରାଜସ୍ଥାନର ମୁଖ୍ୟ ଲକ୍ଷ୍ୟ ହେବ । ଆଜି ୟୁଏଇର ସାରଜାହରେ ମ୍ୟାଚ୍‌ ଖେଳାଯିବ । ଏଠାରେ ଖେଳାଯାଇଥିବା ପୂର୍ବ ୪ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ସ୍କୋର ହୋଇଛି । ତେଣୁ ଆଜି ମଧ୍ୟ ହାଇସ୍କୋରିଂ ମ୍ୟାଚ୍‌ ହେବାନେଇ ଆଶା କରାଯାଉଛି ।

କ୍ୟାପିଟାଲ୍ସ ଦଳ ସିଜନରେ ୫ଟି ମ୍ୟାଚ୍‌ରୁ ୪ଟିରେ ବିଜୟ ଏବଂ ଗୋଟିଏରେ ପରାଜିତ ହୋଇଛି । ପୂର୍ବ ୨ଟି ମ୍ୟାଚ୍‌ରେ ଦଳ ଯଥାକ୍ରମେ କୋଲକାତା ନାଇଟ୍‌ ରାଇଡର୍ସ (୧୮ରନ୍‌ରେ) ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୫୯ରନ୍‌ରେ)କୁ ପରାସ୍ତ କରିଥିଲା । ଏହା ଦଳୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ଦ୍ୱିଗୁଣ କରିଛି । ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ମଧ୍ୟରେ ସମନ୍ୱୟ ରହିଛି । ବ୍ୟାଟ୍ସମ୍ୟାନ୍‌ ବିଫଳ ହେଲେ ବୋଲର ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି । ଫର୍ମରେ ଥିବା ଯୁବ ଓପନର ପୃଥ୍ୱୀ ଶ’ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପେସ୍‌ ବିଭାଗରେ କାଗିସୋ ରାବାଡ଼ା ଓ ଆନରିଚ୍‌ ନର୍ଜ ଦଳ ଆବଶ୍ୟକ ବେଳେ ୱିକେଟ୍‌ ବାହାର କରୁଛନ୍ତି । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ମଙ୍କଡ଼ିଂ ଆଉଟ୍‌ କରିବା ପରିବର୍ତ୍ତେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚେତାବନୀ ଦେଇଥିଲେ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଗତ ସଂସ୍କରଣରେ ସେ ବଟଲରଙ୍କୁ ମଙ୍କଡ଼ିଂ ଆଉଟ୍‌ କରି ସମାଲୋଚିତ ହୋଇଥିଲେ । ଆଜି ଅଶ୍ୱିନ ଓ ବଟଲରଙ୍କ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିବ।

ରୟାଲ୍ସ ଦଳ ସାରଜାରେ ଖେଳିଥିବା ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା । କିନ୍ତୁ ଦୁବାଇ ଓ ଆବୁଧାବି ଭଳି ବଡ଼ ଗ୍ରାଉଣ୍ଡରେ ଫେଲ୍‌ ମାରିଛି। କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ହାରିଥିବା ରୟାଲ୍ସ ଉପରେ ଅଧିକ ଚାପ ରହିବ। କିନ୍ତୁ ଦଳ ସାରଜାରେ ତୃତୀୟ ବିଜୟ ପାଇଁ ପ୍ରସ୍ତୁତ। ଷ୍ଟାର୍‌ ଓପନର ଜୋସ୍‌ ବଟଲର ମୁମ୍ବାଇ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଛନ୍ତି। ଷ୍ଟାର୍‌ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏବେ ୟୁଏଇରେ ସଙ୍ଗରୋଧ ନିୟମ ପାଳନ କରୁଛନ୍ତି। ତେଣୁ ସେ ଆଜିର ମ୍ୟାଚ୍‌ ଖେଳିବେନି। ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ସଞ୍ଜୁ ସାମସନ୍‌ ପୂର୍ବ ମ୍ୟାଚ୍‌ରେ ନିରାଶ କରିଥିଲେ । ଉଭୟ କ୍ୟାପିଟାଲ୍ସ ବୋଲରଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି । ଯୁବ ପ୍ରତିଭାବାନ ପେସ୍‌ ବୋଲର କାର୍ତ୍ତିକ ତ୍ୟାଗୀ ପଦାର୍ପଣରେ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । କ୍ୟାପିଟାଲ୍ସ ବିପକ୍ଷରେ ରୟାଲ୍ସର ରେକର୍ଡ଼ ୧୧-୯ ରହିଛି । ଗତ ସଂସ୍କରଣରେ କ୍ୟାପିଟାଲ୍ସ ଉଭୟ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ତେଣୁ ଦଳ ବିଜୟଧାରା ଜାରି ରଖିବାକୁ ପ୍ରୟାସ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.