ଚାଷୀଙ୍କ ‘ଭାରତ ବନ୍ଦ’ ଆହ୍ୱାନକୁ ଏନଡିଏ ସହଯୋଗୀ RLPର ସମର୍ଥନ, କହିଲା ମେଣ୍ଟରେ ରହିବ କି ନା ୮ ଡିସେମ୍ବର ପରେ ନିଷ୍ପତ୍ତି
6/12/2020 at 10:41 PM

ଜୟପୁର ୬।୧୨: ରାଜସ୍ଥାନରେ ଏନଡିଏ ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ରବିବାର ଚାଷୀଙ୍କ ୮ ଡିସେମ୍ବର ଭାରତ ବନ୍ଦକୁ ରାଜ୍ୟରେ ସମର୍ଥନ କରିଛି। କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନ ୨୦୨୦ରୁ ଦଳର ଅଧ୍ୟକ୍ଷ ହନୁମାନ ବେନିୟାଲ କଳା ଆଇନ ବୋଲି କହିଥିବା ବେଳେ ଏହାର ତୁରନ୍ତ ପ୍ରତ୍ୟାହାର ଦାବି କରିଛନ୍ତି। ଯଦି ସରକାର ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ତେବେ ମେଣ୍ଟ ନେଇ ତାଙ୍କ ଦଳ ୮ ଡିସେମ୍ବର ପରେ ପୁନର୍ବିଚାର କରିପାରେ ବୋଲି ବେନିୱାଲ ରବିବାର କହିଛନ୍ତି।
କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନକୁ ନେଇ ଅତୀତରେ ଏନଡିଏର ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣୀ ଅକାଳୀ ଦଳ ସରକାରରୁ ଓହରି ଯାଇଥିଲା। ଏଥିରେ ବେନିଆଲ କୃଷି ଆଇନକୁ ନେଇ ତାଙ୍କ ଦଳ ଚାଷୀଙ୍କ ସହ ଥିବା ରବିବାର ଘୋଷଣା କରିଛନ୍ତି। ଯଦି ସରକାର କଳା ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ତାଙ୍କ ଦଳ ଚାଷୀଙ୍କ ହକ୍ ଲାଗି ଦିଲ୍ଲୀ ପଦଯାତ୍ରା କରିବ ବୋଲି ସଫାସଫା କହିଛନ୍ତି।
ଦିଲ୍ଲୀରେ କୃଷି ଆନ୍ଦୋଳନ ବେଳେ ବେନିୱାଲ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ଏଥିରେ ଚାଷୀଙ୍କ ପ୍ରତି ସମ୍ମାନର ସହ ବ୍ୟବହାର କରାଯାଉ ବୋଲି ନିବେଦନ କରିବା ସହ ସେମାନେ ଯେଉଁଠାରେ ଚାହୁଁଛନ୍ତି ସେଠାରେ ସେମାନଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟଥା ଦଳ ମେଣ୍ଟ ନେଇ ପୁନର୍ବିଚାର କରିବ ବୋଲି ମଧ୍ୟ ସତର୍କ କରାଇଥିଲେ।
କେବଳ ମେଣ୍ଟ ସହଯୋଗୀ ଆରଏଲପି ନୁହେଁ ୧୧ ବିରୋଧୀ ଦଳ ମଧ୍ୟ ଇତିମଧ୍ୟରେ ଚାଷୀଙ୍କ ୮ ଡିସେମ୍ବର ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ଏ ନେଇ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଦଳମାନେ ମିଳିତ ବିବୃତ୍ତି ଜାରି କରିଛନ୍ତି। ସେପଟେ ସରକାର ଚାଷୀଙ୍କ ସହ ୯ ଡିସେମ୍ବର ଆଲୋଚନା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। କନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କସହ ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ କୈଳାଶ ଚୌଧୁରୀ ରବିବାର ଆଲୋଚନା କରିଛନ୍ତି।