ପାଇଲଟ୍‌ ଗୋଷ୍ଠୀର ନେତା ଭଅଁରଲାଲଙ୍କ ଘର ବାହୁଡା, ଦଳକୁ ଫେରିବେ ଅନ୍ୟ ବିଦ୍ରୋହୀ ବିଧାୟକ !

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ ୧୦।୦୮: ରାଜସ୍ଥାନରେ ରାଜନୈତିକ ପରିଦୃଶ୍ୟରେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟିଛି। ଗେହଲଟ ସରକାରରେ ବିଦ୍ରୋହ ଆଭିମୁଖ୍ୟ ଆପଣେଇଥିବା ସଚିନ ପାଇଲଟ୍‌ଙ୍କ ଦିଲ୍ଲୀରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ରାହୁଲ-ପ୍ରିୟଙ୍କାଙ୍କ ସହ ପାଇଲଟ୍‌ଙ୍କ ଭେଟ ଫଳପ୍ରଦ ହୋଇଥିବା ସଙ୍କେତ ମିଳିଛି। ଗୋଟିଏ ମାସରୁ ଅଧିକ ସମୟ ଧରି ହରିୟାଣାରେ ଡେରା ପକାଇଥିବା ପାଇଲଟ୍‌ ସହଯୋଗୀ ବିଧାୟକ ଏବେ ଜୟପୁର ଫେରିବାକୁ ପ୍ରସ୍ତୁତି  କରୁଛନ୍ତି। ଅପରପକ୍ଷେ ପାଇଲଟ୍‌ଙ୍କ ସମର୍ଥକ ବିଧାୟକ ଭଅଁରଲାଲ ଶର୍ମା ମଧ୍ୟ ସୋମବାର ସନ୍ଧ୍ୟାରେ ଜୟପୁର ପହଞ୍ଚି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ସାକ୍ଷାତ ପରେ ପାଇଲଟ୍‌ ସମର୍ଥକ ବିଧାୟକ ଭଅଁରଲାଲ କହିଛନ୍ତି ଆଲୋଚନା ସକରାତ୍ମକ ରହିଛି ଏବଂ ସରକାର ସୁରକ୍ଷିତ ରହିଛି। ସରକାର ଉପରେ କୌଣସି ବିପଦ ନାହିଁ। ସେ କହିଛନ୍ତି ପାର୍ଟି ଗୋଟିଏ ପରିବାର ଏବଂ ଅଶୋକ ଗେହଲଟ ଏହାର ମୁଖିଆ। ମୋର ଅଶୋକ ଗେହଲଟଙ୍କ ପ୍ରତି ଅସନ୍ତୋଷ ନାହିଁ, ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ର ପ୍ରସଙ୍ଗରେ ଥିବା ସମସ୍ୟାକୁ ନେଇ ଅସନ୍ତୋଷ ଥିଲା। ଗୋଟିଏ କି ଦୁଇ ଦିନରେ ସବୁ କିଛି ଠିକ୍ ହୋଇଯିବ। ଅଶୋକ ଗେହଲଟ ହିଁ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସରକାର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରା କରିବ ବୋଲି ଭଅଁରଲାଲ କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ସହ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସାକ୍ଷାତ ପରେ ପାଇଲଟ୍ ଓ ତାଙ୍କ ସହଯୋଗୀ ୧୮ ବିଧାୟକ ପାର୍ଟିକୁ ଫେରିବା ନେଇ କଳ୍ପନା କଳ୍ପନା ଆରମ୍ଭ ହୋଇ ଯାଇଛି। କୁହାଯାଉଛି ପାଇଲଟ ନିସର୍ତ୍ତ ଭାବେ ପାର୍ଟିରେ ନିଜର ସର୍ତ୍ତ ସହିତ ଫେରିବେ। ଏମିତି ସମୟରେ କଂଗ୍ରେସ ସୁପ୍ରିମୋ କିମ୍ବା ଗାନ୍ଧୀ ପରିବାର ସମ୍ମୁଖରେ ଅଶୋକ ଗେହଲଟଙ୍କୁ ମନାଇବା ବଡ ଚ୍ୟାଲେଞ୍ଜ ରହିଛି। ସୂତ୍ର ଅନୁଯାୟୀ ପାର୍ଟିର ହାଇକମାଣ୍ଡ ଏବେ ଅଗଷ୍ଟ ୧୪ରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗେହଲଟଙ୍କୁ ମନାଇବାରେ ଜୁଟିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.