କରୋନାରେ ରାଜ୍ୟର ଆର୍ଥିକ ସ୍ଥିତି ବେହାଲ, ପୁଣି ଥରେ କଟି ପାରେ ସରକାରୀ କର୍ମଚାରୀଙ୍କ ଦରମା

Published By : Prameya-News7 Bureau | April 21, 2021 IST

ଜୟପୁର ୨୧ ।୦୪: କରୋନାର ପ୍ରଥମ ଲହରରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଆର୍ଥିକ ବ୍ୟବସ୍ଥା ନସୁଧୁରୁଣୁ ଦ୍ଵିତୀୟ ଲହର ବେଡି ଉପରେ କୋରଡା ମାଡ ସାଜିଛି। ମହାମାରୀରେ କେବଳ ସ୍ଵାସ୍ଥ୍ୟ ବ୍ୟବସ୍ଥା ନୁହେଁ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ଏହି ସଙ୍କଟ ମଧ୍ୟରେ ପୁଣି ଥରେ ସରକାରୀ କର୍ମଚାରୀଙ୍କ ଦରମା କଟିବାକୁ ଯାଉଛି । ଏଥିରେ ୬ ଲକ୍ଷ କର୍ମଚାରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଦରମା କାଟିବା ପରି ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜସ୍ଥାନର ଗେହଲଟ୍ ସରକାର । କର୍ମଚାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କ ମଧ୍ୟ ଦରମା କଟାଯାଇପାରେ।  ସୂତ୍ର ଅନୁଯାୟୀ, ଅର୍ଥ ମନ୍ତ୍ରଣାଳୟ ଏହାର ଚୂଡାନ୍ତ ରୂପ ଦେଇ ସାରିଛି। କେବଳ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୋହରକୁ ଅପେକ୍ଷା।

ଅର୍ଥ ବିଭାଗର ଅଧିକାରୀ ବେତନ କଟାଯିବା ଖବରକୁ ଖଣ୍ଡନ କରିଥିଲେ ମଧ୍ୟ ରାଜ୍ୟର ଆର୍ଥିକ ସ୍ଥିତି ସଂପ୍ରତି ଦୁର୍ବଳ ରହିବା ଏବଂ ରାଜସ୍ୱ ହ୍ରାସ ଘଟିବା କାରଣରୁ ରାଜ୍ୟ ସରକାର ପୁନର୍ବାର ସରକାରୀ କର୍ମଚାରୀଙ୍କ ଦରମା କାଟିବାକୁ ଯାଉଛନ୍ତି । ଅନ୍ୟପଟେ କରୋନା ଦ୍ୱିତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ଅର୍ଥର ଆବଶ୍ୟକତା ରହିଛି।

ଅନ୍ୟପଟେ କେନ୍ଦ୍ର ସରକାର ଭ୍ୟାକସିନ କିଣିବାର ଅଧିକାର ରାଜ୍ୟ ସରକାରମାନଙ୍କୁ ଦେବା ନିଷ୍ପତ୍ତିରେ ଗେହଲଟ ସରକାରଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗେହଲଟ ସରକାରଙ୍କୁ ଏହା ସ୍ଥିର କରିବାକୁ ପଡିବ ଯେ, ନିଜେ ଭ୍ୟାକସିନ କିଣିବ ନା କେନ୍ଦ୍ର ନିକଟରେ ଆର୍ଥିକ ସହାୟତା ପାଇଁ ଗୁହାରି କରିବ । ବର୍ତ୍ତମାନ ରାଜ୍ୟର ଆର୍ଥିକ ସ୍ଥିତି  ସ୍ଵଚ୍ଛଳ ନାହିଁ । ରାଜସ୍ଥାନରେ ଟିକସ ଆଦାୟ ଅହେତୁକ ହ୍ରାସ ଘଟିଛି । ଏମିତି ସ୍ଥିତିରେ କର୍ମଚାରୀଙ୍କ ଦରମା କାଟ୍‌ରେ ସରକାରଙ୍କୁ ପ୍ରାୟ ୬୦୦ କୋଟି ଟଙ୍କା ମିଳିବାର  ଆଶା ରହିଛି।

ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ଗେହଲଟ୍ ସରକାର ପ୍ରାୟ ୬ ଲକ୍ଷ କର୍ମଚାରୀଙ୍କ ୭୫ ପ୍ରତିଶତ ବେତନ ସ୍ଥଗିତ  କରିଥିଲେ । ପରେ ବଜେଟ୍ ଉପସ୍ଥାପନ ସମୟରେ କର୍ମଚାରୀଙ୍କୁ କଟାଯାଇଥିବା ଦେବାକୁ ଘୋଷଣା କରିଥିଲେ । ଚଳିତ ଥର ସ୍ଵାସ୍ଥ୍ୟ କର୍ମୀ,  ଚୁକ୍ତିଭିତ୍ତିକ କର୍ମଚାରୀ, ପୁଲିସ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ବେତନ କଟାଯିବ ନାହିଁ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.