ରାଜସ୍ଥାନରେ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ, ପ୍ରସ୍ତାବକୁ ରାଜ୍ୟପାଳଙ୍କ ମଞ୍ଜୁରୀ

Published By : Prameya-News7 Bureau | July 29, 2020 IST

ଜୟପୁର ୨୯।୦୦୭: ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ଗେହଲଟ ସରକାରଙ୍କ ବିଧାନସଭା ଅଧିବେଶନ ଡକାଇବା ପ୍ରସ୍ତାବକୁ ସ୍ଵୀକାର କରିଛନ୍ତି। ଗେହଲଟ ସରକାର ରାଜ୍ୟପାଳଙ୍କୁ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡକାଇବାକୁ ଦାବି କରିଥିଲେ। ଏହା ପୂର୍ବରୁ ଅଧିବେଶନ ଡକାଇବା ନେଇ ଗେହଲଟଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ  ଆୟୋଜିତ ହୋଇଥିଲା। ଏଥିରେ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡକାଇବା ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା। ପ୍ରସ୍ତାବକୁ ରାଜ୍ୟପାଳ ନିକଟକୁ ପଠାଯାଇଥିଲା ଯାହାକୁ ସେ ସ୍ଵୀକାର କରିଛନ୍ତି।

ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ରାଜ୍ୟପାଳ କଲରାଜ ମିଶ୍ର ରାଜସ୍ଥାନ  ବିଧାନସଭା ଅଧିବେଶନକୁ ଅଗଷ୍ଟ ୧୪ରୁ ଆରମ୍ଭ କରାଯିବା ପ୍ରସ୍ତାବକୁ ସ୍ଵୀକୃତି ଦେଇଛନ୍ତି। ରାଜ୍ୟପାଳ ରାଜସ୍ଥାନ ବିଧାନସଭା ଅଧିବେଶନ ସମୟରେ କୋଭିଡ୍-୧୯ ସଂକ୍ରମଣରୁ ବଞ୍ଚିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରିବାକୁ ମୌଖିକ ଭାବେ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବିଧାନସଭା ଅଧିବେଶନ ଡକାଯିବା ନେଇ ଗତ କିଛି ଦିନରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଲଢେଇ ଜାରି ରହିଥିଲା। ମୁଖ୍ୟମନ୍ତ୍ରୀ ଗେହଲଟ ଗୋଟିଏ ପଟେ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ଅନ୍ୟପଟେ ରାଜ୍ୟପାଳ ପ୍ରସ୍ତାବକୁ ଅସ୍ଵୀକାର କରିଥିଲେ। ଗେହଲଟ ଗୋଷ୍ଠୀଙ୍କ ବିଧାୟକ ରାଜଭବନରେ ମଧ୍ୟ ଧାରଣା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.