ରାଜସ୍ଥାନ ବିକାନେରରେ ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ କେସ୍ : ଦେଶରେ ବଢିବାରେ ଲାଗିଛି ମାମଲା

Published By : Prameya-News7 Bureau | June 26, 2021 IST

ବିକାନେର ୨୬/୬ : ଦେଶରେ ସିନା କରୋନାର ୨ୟ ଲହର ପ୍ରକୋପ କମିଯାଇଛି । ହେଲେ ବିପଦ ବଢାଇବାରେ ଲାଗିଛି ଡେଲଟା ପ୍ଲସ ମାମଲା । ଯାହାକି କେନ୍ଦ୍ର ସହ ଅନ୍ୟ ରାଜ୍ୟର ସରକାର ଏବଂ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଡେଲଟା ପ୍ଲସର ବଢୁଥିବା ମାମଲା ତୃତୀୟ ଲହରର କାରଣ ହୋଇପାରେ ବୋଲି ବିଶ୍ୱାସ କରାଯାଏ । ଏଥିସହ ଦେଶର ଅନେକ ରାଜ୍ୟରେ ଡେଲଟା ପ୍ଲସ୍ ପ୍ରକାରର ମାମଲା ସାମ୍ନାକୁ ଆସିଛି ।

ଏହାରି ଭିତରେ ରାଜସ୍ଥାନର ବିକାନେରରେ ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏଠାରେ ୬୫ବର୍ଷର ବୃଦ୍ଧାଙ୍କଠାରେ ଏକ ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି । ସୂଚନାଥାଉକି, ଜୁନ୍ ୩୦ରେ ମହିଳାଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପୁଣେକୁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ମହିଳାଙ୍କଠାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ବିକାନେରର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ଟର ଓପି ଚହର କହିଛନ୍ତି ଯେ ଡେଲଟା ପ୍ଲସ୍ ଭାରିଆଣ୍ଟ ମହିଳାଙ୍କଠାରେ ସ୍ପଷ୍ଟ ହୋଇଛି । ମହିଳା ଜଣକ କୋଭିଡ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟର ଏହା ହେଉଛି ପ୍ରଥମ ମାମଲା । ସେ କହିଥିଲେ ଯେ ମହିଳା ଜଣକ ଅସମ୍ପୋଟିକ୍ ଏବଂ ବହୁ ପୂର୍ବରୁ କୋଭିଡରୁ ସୁସ୍ଥ ହୋଇଛନ୍ତି ।

ଡକ୍ଟର ଚହର କହିଛନ୍ତି ଯେ ମହିଳା ଜଣକ ଭାରତ ବାୟୋଟେକର ଟିକା କୋଭାକ୍ସିନର ଉଭୟ ମାତ୍ରା ନେଇସାରିଛନ୍ତି । ସେ କହିଛନ୍ତି ଯେ ଶନିବାର ଦିନ ମହିଳା ରହୁଥିବା ବଙ୍ଗଳା ନଗର ଅଞ୍ଚଳରେ ନମୁନା ସଂଗ୍ରହ କରାଯିବ । ରାଜସ୍ଥାନରେ କରୋନା ସଂକ୍ରମିତ ମୋଟ ରୋଗୀଙ୍କ ସଂଖ୍ୟା ୯.୫୧ଲକ୍ଷରୁ ଅଧିକ ଏବଂ ଶୁକ୍ରବାର ଦିନ ରାଜ୍ୟରେ ୧୩୧ଟି ନୂଆ ମାମଲା ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.