ରାଜସ୍ଥାନ ଚପୋଲିରେ କରୋନା ବିସ୍ଫୋରଣ : ୨୫ ଜଣଙ୍କ ମୃତ୍ୟୁ , ଲୋକେ କହୁଛନ୍ତି ଗ୍ରାସ କରୁଛି ରହସ୍ୟମୟ ରୋଗ

Published By : Prameya-News7 Bureau | May 22, 2021 IST

ରାଜସ୍ଥାନ ୨୨/୫ : ସାରା ଦେଶରେ କରୋନାର କୋପ କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ଲାଗିପାରୁନି ବ୍ରେକ୍ । ବିଭିନ୍ନ ଜିଲ୍ଲାରେ କରୋନାର ଥାର୍ଡ ଡିଗ୍ରୀ ଦେଖିବାକୁ ମିଳିଛି । ରାଜସ୍ଥାନରେ ବି ଅନେକ ସ୍ଥାନରେ ଧୀରେ ଧୀରେ ମୃତ୍ୟୁ ସଖ୍ୟା ବଢିବାରେ ଲାଗିଛି । ଆସ୍ତେ ଆସ୍ତେ ମହାମାରୀ ସହର ଛାଡି ଗାଁ ମୁହାଁ ହେଉଛି । ସ୍ଥିତି ବି ସଂଗୀନ ହେବାରେ ଲାଗିଛି । ଲଗାତାର ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା ବି ବଢୁଛି ।

ତେବେ ଏହାରି ଭିତରେ ଲୋକେ ସଚେତନ ହେବା ତ ଦୂରର କଥା ରୋଗକୁ ନେଇ ଅନେକ ଅନ୍ଧବିଶ୍ୱାସ ବଶବର୍ତ୍ତୀ ହେଉଛନ୍ତି । ରାଜସ୍ଥାନର ଚାପୋଲି ଗାଁରେ କରୋନା ସ୍ଥିତି ବହୁତ ଖରାପ । ସେହି ଏକକ ଗାଁରେ ସର୍ବାଧିକ ସଂଖ୍ୟକ ରୋଗୀ କରୋନାରୁ ମୃତ୍ୟୁ ବରଣ କରିଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୨୫ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ବଢୁଥିବା ମାମଲା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ବି ଜାରି କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ଦୀର୍ଘଦିନ ଧରି ଗାଁରେ କୌଣସି ପରୀକ୍ଷା କରିଯାଇନି । କି ଲୋକେ ଟିକା ନେଉନାହାଁନ୍ତି । ଏମିତିକି ଗାଁରେ କିଛି ପିଲା ନିଜର ସମ୍ପର୍କୀୟଙ୍କ ହରାଇବା ସହ ଅନାଥ ବି ହୋଇଯାଉଛନ୍ତି । ତଥାପି ଶୁଣିବାକୁ ନାରାଜ ଗ୍ରାମବାସୀ । ଓଲଟା ସେମାନେ ଯୁକ୍ତି କରୁଛନ୍ତି କି ଗାଁରେ ଅଜଣା ବା ରହସ୍ୟମୟ ରୋଗ ଆସିଛି । ଯେଉଁଥାପାଇଁ ଏମିତି ଲୋକେ ମରୁଛନ୍ତି । ଯଦି ଏପରି ସ୍ଥିତି ଲାଗିରହେ ତେବେ ମହାମାରୀ କବଳରେ ପୂରା ଗ୍ରାମବାସୀ ରହିଯିବେ ଏଥିରେ ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.