ରାଜସ୍ଥାନ ନଗର ନିଗମ ନିର୍ବାଚନରେ ବିଜେପି ଉପରେ ଭାରି ପଡିଲା କଂଗ୍ରେସ, ଉଭୟ ଦଳର ଖାତାକୁ ଗଲା ଏତିକି ସିଟ୍

Published By : Prameya-News7 Bureau | January 31, 2021 IST

ଜୟପୁର ୩୧।୦୧: ରାଜସ୍ଥାନର ନଗର ନିଗମରେ ବିଜେପି ଉପରେ ଭାରି ପଡିଛି କଂଗ୍ରେସ। ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସ ନଗର ନିଗମ ନିର୍ବାଚନରେ ବିଜେପିଠୁ ଆଗରେ ରହିଛି। ୨୦ ଜିଲ୍ଲାର ୯୦ ନଗର ନିଗମର ୩,୩୩୪ ଆସନରେ ହୋଇଥିବା ନିର୍ବାଚନର ଫଳାଫଳ ରବିବାର ଘୋଷିତ ହୋଇଛି। ଏହି ୯୦ ନଗର ନିଗମରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ୨୪ଟି ପୂର୍ଣ୍ଣ ବହୁମତ ମିଳିଥିବା ବେଳେ କଂଗ୍ରେସକୁ ୧୯ଟିରେ ବହୁମତ ମିଳିଛି। ପାଞ୍ଚଟି ନଗର ନିଗମରେ ଦୁଇ ଦଳ ସମାନ ସ୍ଥିତିରେ ରହିଛନ୍ତି ଏବଂ ଏଠାରେ ନିର୍ଦ୍ଦଳୀୟ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ଅନେକ ନଗର ନିଗମରେ ସ୍ଵାଧୀନ ପ୍ରାର୍ଥୀଙ୍କ ବଳରେ କଂଗ୍ରେସ ନଗର ନିଗମ କବ୍‌ଜା କରିବାକୁ ଚେଷ୍ଟା ଚଳାଇଛି।

ରାଜସ୍ଥାନ ନଗର ନିଗମରେ ମୋଟ୍ ୨୯ ଲକ୍ଷ ମତଦାତାଙ୍କ ମଧ୍ୟରୁ ୨୨ ଲକ୍ଷ ଭୋଟ୍ ଦେଇଥିଲେ। ଏଥିରୁ ୭ ଲକ୍ଷ ୮୫ ହଜାର ୨୮୨ ଭୋଟ୍ କଂଗ୍ରେସକୁ ମିଳିଥିବା ବେଳେ ୭ ଲକ୍ଷ ୬୫ ହଜାର ୩୬୩ ଭୋଟ୍ ବିଜେପି ଖାତାକୁ ଯାଇଛି। ୬ ଲକ୍ଷ ୮୭  ହଜାର ୨୧୯ ଭୋଟ୍ ସ୍ଵାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି।

୯୦ ନଗର ନିଗମରେ ବିଜେପି ମୋଟ୍ ୧୧୪୦ ଆସନ  ଜିତିଥିବା ବେଳେ କଂଗ୍ରେସ ୧୧୯୭ଟିରେ ବିଜୟୀ ହୋଇଛି। ନିର୍ଦ୍ଦଳୀୟଙ୍କ ଖାତାରେ ୬୯୩ ସିଟ୍ ଯାଇଛି। ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି ପାର୍ଟି ଏଥର ପାର୍ଟିକୁ ଗତ ଥର ଅପେକ୍ଷା ଅଧିକ ସିଟ୍ ମିଳିଛି। କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂହ ଡୋଟାସରା ଦାବି କରିଛନ୍ତି ଯେ, ନିର୍ଦ୍ଦଳୀୟଙ୍କ ଭରସାରେ ଆଉ ୫୦ଟି ନଗର ନିଗମରେ ନିଜର ସରକାର ଗଠନ କରିବେ।

ସୂଚନାଯୋଗ୍ୟ, ଗତ ଥର ନିର୍ବାଚନରେ ୯୦ ନଗର ନିଗମରୁ ବିଜେପି ୬୦ଟିରେ, କଂଗ୍ରେସ ୨୫ ଏବଂ ୫ଟିରେ ନିର୍ଦ୍ଦଳୀୟ ବିଜୟୀ ହୋଇଥିଲେ। ମାତ୍ର ଏଥର ବାଜି ଓଲଟି ଯାଇଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ କଂଗ୍ରେସ ପ୍ରାୟ ୫୨ ବୋର୍ଡ ଗଠନ କରିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.