ପ୍ରଥମେ ଫ୍ଲୋରଟେଷ୍ଟ, ପରେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରନ୍ତୁ ଗେହଲୋତ୍: ବିଜେପି
14/07/2020 at 7:27 PM

ଜୟପୁର ୧୪।୭: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ପ୍ରଥମେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଅନ୍ତୁ, ତା ପରେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରିବେ। ରାଜସ୍ଥାନ ବିଧାନସଭାରେ ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ ମଙ୍ଗଳବାର ଏହି ଦାବି କରିଛନ୍ତି । ପାର୍ଟିରେ ବିଦ୍ରୋହ ଯୋଗୁ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ୍ ଓ ତାଙ୍କର ଦୁଇ ସମର୍ଥକ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ତାଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିଛନ୍ତି। ଏହାର ଜବାବରେ ବିରୋଧୀ ଦଳ ନେତା ରାଜ୍ୟରେ ସରକାରଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ ଦାବି କରିଛନ୍ତି।

ତେବେ ତାଙ୍କ ସରକାର ଗୃହରେ ପୂର୍ଣ୍ଣ ବହୁମତ ରଖୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଗେହଲୋତ କହିଛନ୍ତି ଯେ ତାଙ୍କ ଦଳରେ ଏବେବି ୧୦୯ ବିଧାୟକ ଅଛନ୍ତି। ସମସ୍ତ ବିଧାୟକଙ୍କୁ ହୋଟେଲରେ ରଖା ଯାଇଛି। ସେପଟ୍ ଗେହଲୋତଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା ବିଧାନସଭାରେ ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋର କହିଛନ୍ତି। ସେ କେବେବି ବିଶ୍ୱାସ ମତରେ ଜିତିପାରିବେ ନାହିଁ ବୋଲି ସେ ଦାବି କରିଛନ୍ତି।

ରାଜ୍ୟରେ ସରକାର ବିଧାୟକଙ୍କ ଆବାସକୁ ପୋଲିସ ନଜରରେ ରଖିଥିବାର ମଧ୍ୟ ବିଜେପି ଅଭିଯୋଗ କରିଛି। ସେହିପରି କଂଗ୍ରେସକୁ ସମର୍ଥନ ଜଣାଉଥିବା ଭାରତୀୟ ଆଦିବାସୀ ପାର୍ଟି (ବିଟିପି) ବିଧାୟକଙ୍କୁ ଧମକ୍ ଦିଆଯାଉଥିବାର ମଧ୍ୟ ଅଭିଯୋଗ ହେଉଛି। ଏଣୁ ତୁରନ୍ତ ସରକାରଙ୍କୁ ଗୃହରେ ଆସ୍ଥା ଲୋଡିବା ଲାଗି ନିର୍ଦ୍ଦେଶ ଦିଆଯିବା ଦରକାର ବୋଲି ବିଜେପି ଦାବି କରିଛି। ରାଜ୍ୟ ବିଧାନସଭାର ମୋଟ ଆସନ ସଂଖ୍ୟା ୨ଶହ। ଏଥିରୁ କଂଗ୍ରେସର କେତେ ଓ ବିଜେପିର କେତେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି। ତେବେ ବିଧାନସଭାରେ ବିଜେପି ଓ ମେଣ୍ଟ ଦଳ ମିସି ଏବେ ୭୨ ଜଣ ବିଧାୟକ ଥିବା ଜଣାପଡିଛି।