ସିନ୍ଧିଆ ହେବେ କି ସଚିନ ? ବିଜେପି ଚାହୁଁଛି ହାତରେ ରଖିବ ରିମୋଟ୍ କଣ୍ଟ୍ରୋଲ

Published By : Prameya-News7 Bureau | July 12, 2020 IST

ଜୟପୁର, ୧୨।୦୭: ରାଜସ୍ଥାନରେ ରାଜନୈତିକ ଝଡ ସୃଷ୍ଟି ହେବାରେ ଲାଗିଛି । ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେଟା ସଚିନ ପାଇଲଟ ଏବେ ଦିଲ୍ଲୀରେ । ସେ ତାଙ୍କର ୨୫ରୁ ଅଧିକ ଦଳୀୟ ବିଧାୟକଙ୍କୁ ଧରି ସୋନିଆଙ୍କୁ ଭେଟିବାକୁ ଯାଇଛନ୍ତି । ତାଙ୍କୁ ରାଜ୍ୟ ନେତୃତ୍ୱ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି । ଏହି ପରିସ୍ଥିତିକୁ ସହଜରେ ମଧ୍ୟପ୍ରଦେଶ ରାଜନୈତିକ ଘଟଣା ସହ ଯୋଡାଯାଇପାରେ । କାରଣ ମଧ୍ୟ ପ୍ରଦେଶରେ ମଧ୍ୟ ଏପରି ଭାବେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ଏହାପରେ ରାଜ୍ୟରୁ କଂଗ୍ରେସ ସରକାର ହଟିବା ସହ ପୁଣି ବିଜେପି ଶାସନ ଗାଦିକୁ ଫେରିଥିଲା ।

ସଚିନ୍ ପାଇଲଟ୍ ଏବେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି । ତେବେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ସେ କହିଛନ୍ତି । ତାଙ୍କ ସମର୍ଥକ ବିଧାୟକଙ୍କ ମଧ୍ୟ ସମାନ ଅଭିଯୋଗ । ଏପରି ସମୟରେ କିଛି କଂଗ୍ରେସ ମନ୍ତ୍ରୀ ପାଇଲଟ୍ ବିଜେପିକୁ ଯିବେ ବୋଲି କହିଛନ୍ତି । ଏପରିକି ସେ ବିଜେପି ସହ ମିଶି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ରାଜ୍ୟ ସରକାର ଗଠନ କରିଥିବା ଏସଓଜି ଟିମ୍‌ରେ ମଧ୍ୟ ଏହା ଦର୍ଶାଯାଇଛି । ଯାହାକୁ ନେଇ ପାଇଲଟ୍ ଖପ୍ପା ।

ଏହା ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ନିଜ ବାସଭବନରେ କଂଗ୍ରେସ ବିଧାୟକ ଓ ମନ୍ତ୍ରୀଙ୍କୁ ସାକ୍ଷାତ କରୁଛନ୍ତି । ରବିବାର ସକାଳ ୧୦ଟାରୁ ବିଧାୟକ ଓ ମନ୍ତ୍ରୀଙ୍କ ଏହି ସାକ୍ଷାତକାରରେ ଜାରି ରହିଛି । ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକଙ୍କୁ ଜୟପୁରରେ ପହଁଚିବା ପାଇଁ କୁହାଯାଇଛି । ଯେନତେନ ପ୍ରକାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ।  ତେବେ ବିଜେପି ମଧ୍ୟ ଏପରି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହିଁ । ଏହି ଗୋଳିଆ ପାଣିରୁ ବିଜେପି ଫାଇଦା ନେବାକୁ ପସିଛି । ମଧ୍ୟ ପ୍ରଦେଶ ଚାଲ୍ ବିଜେପି ଏବେ ଏଠାରେ ଖେଳିବାକୁ ଯୋଜନା ପ୍ରସ୍ତୁତ କରିଛି । ବିଜେପି ପାଇଲଟଙ୍କୁ ନେବାକୁ ଚାହୁଁଛି କିନ୍ତୁ ଅନେକ କିଛି ସର୍ତ୍ତ ରଖିଛି ମଧ୍ୟ ।

ବିଜେପି ପାଇଲଟଙ୍କୁ କଂଗ୍ରେସ ସରକାର ପତନ କରିବା ନେଇ ସର୍ତ୍ତ ରଖିଥିବା ଶୁଣିବାକୁ ମିଳୁଛି । କିନ୍ତୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ଦେବାକୁ ନାରାଜ ଦଳ । ପାଇଲଟଙ୍କୁ  ରିମୋଟ କଣ୍ଟ୍ରୋଲ କରିବା ନେଇ ବିଜେପି ଚାହୁଁଛି । ତେବେ ପାଇଲଟଙ୍କ ସମର୍ଥକ କିଛି ବିଧାୟକ ଗୁଜୁରାଟରେ ଅହମ୍ମଦ ପଟେଲଙ୍କୁ ଭେଟିଥିବା କୁହାଯାଉଛି । ଏହି ବିଧାୟକମାନେ ବିଜେପିକୁ ନଯାଇ ଆଉ ଏକ ଆଞ୍ଚଳିକ ଦଳ ଗଠନ କରିବା ପାଇଁ ପାଇଲଟଙ୍କ ସହ ଆଲୋଚନା କରିଛନ୍ତି । ତେବେ ଆଗକୁ ରାଜସ୍ଥାନର ରାଜନୈତିକ ଦୃଶ୍ୟପଟ କଣ ହେବ ତାହା କେବଳ ସମୟ କହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.