ରାଜସ୍ଥାନର ଭୀଲଓ୍ୱାଡାରେ ଗୋଟିଏ ଦିନରେ ୧୧ କରୋନା ପଜିଟିଭ୍: ଲୋକଙ୍କ ଭିତରେ ଛନକା, ସରକାରୀ କଟକଣା ଭାଙ୍ଗି ପୋଲିସଠୁ ଲାଠି ଖାଇଲେ ଯୁବକ
21/03/2020 at 3:55 PM

ଭୀଲଓ୍ୱାଡା, ୨୧|୦ ୩ : ରାଜସ୍ଥାନରେ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଭୀଲଓ୍ୱାଡା ଜିଲ୍ଲାରେ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ଶୁକ୍ରବାର ୬ ଓ ଶନିବାର ୫ଜଣ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସହରକୁ ବନ୍ଦ କରିଦିଆଯାଇଛି। ସେହିପରି ପୋଲିସ ମଧ୍ୟ ସହର ସାରା ମୁତୟନ ହୋଇଛନ୍ତି। ଏପରିକି ଘରୁ ବାହାରକୁ ଯାଇଥିବା କିଛି ଯୁବକଙ୍କୁ ପୋଲିସ ଲାଠିରେ ମଧ୍ୟ ପିଟିଛି।

ଭୀଲଓ୍ୱାଡାରେ ସଂକ୍ରମିତ ହୋଇଥିଲେ ଜଣେ ଡାକ୍ତର ଓ କମ୍ପାଉଣ୍ଡର ଯେଉଁ ହସ୍ପିଟାଲରେ କାମ କରୁଥିଲେ, ସେଠାରୁ ପ୍ରାୟ 6ହଜାର ଲୋକ ଆସିଥିଲେ। ଏମାନଙ୍କୁ ସ୍କ୍ରିନିଂ କରାଯାଉଛି। ଏହାସହ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି। ସହରର ୧୩ଟି ସ୍ଥାନରେ ୪୦୦ ଆଇସୋଲେସନ ବେଡ୍ ପ୍ରସ୍ତତ କରାଯାଇଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କହିବାନୁସାରେ, ସଂକ୍ରମିତ ଡାକ୍ତରଙ୍କ ଘରକୁ କିଛିଦିନ ତଳେ ସାଉଦିରୁ ଅତିଥି ଆସିଥିଲେ। ସେମାନଙ୍କଠାରୁ କରୋନା ବ୍ୟାପିଥିବା ଆଶଙ୍କା କରାଯାଉଛି। ଫଳରେ ତାଙ୍କ ସାଥୀ ଡାକ୍ତର ମଧ୍ୟ ସଂକ୍ରମିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଇଛି। ଏହାସହ ଜନତା କର୍ଫ୍ୟୁ ପାଳନ ପାଇଁ ନିବେଦନ କରିଛି।
ଯେତେବେଳେ ଭାଇରସ କମ୍ୟୁନିଟି ଟ୍ରାନ୍ସମିଶନରେ ପହଁଚିବ ସେତେବେଳେ ଅଧିକ ଅଞ୍ଚଳ ପ୍ରଭାବିତ ହେବ। ଏହି ଷ୍ଟେଜରେ ଭାଇରସ ଗୋଟିଏ ସଂକ୍ରମିତ ଲୋକଙ୍କ ଠାରୁ ଅନ୍ୟମାନଙ୍କୁ ଦ୍ରୁତ ଗତିରେ ବ୍ୟାପିଥାଏ।