ନୂଆବର୍ଷରେ ବାଣ ଫୁଟାଇବାକୁ ମନା: ରୋକ୍ ଲଗାଇଲେ ସରକାର
21/12/2020 at 6:19 PM

ଜୟପୁର ୨୧/୧୨ : ରାଜସ୍ଥାନବାସୀ ନୂଆବର୍ଷ ଅବସରରେ ବାଣ ଫୁଟାଇ ପାରିବେନି। ଅଶୋକ ଗେହଲତ ସରକାର ସୋମବାର ଦିନ କରୋନା ସମୀକ୍ଷା ବୈଠକରେ ନୂଆବର୍ଷରେ ବାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ନୂଆ ବର୍ଷ ଅବସରରେ ଲୋକେ ବାଣ ଫୁଟାଇ ପାରିବେନି। ମୁଖ୍ୟମନ୍ତ୍ରୀ କରୋନାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକ ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ କୋଭିଡ୍-୧୯ ସମୀକ୍ଷା ଏବଂ କରୋନା ଭ୍ୟାକସିନ୍ ପ୍ରସ୍ତୁତି ସମ୍ବନ୍ଧୀୟ ବୈଠକରେ ନିର୍ଣ୍ଣୟ ନିଆଯାଇଛି ଯେ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୀପାବଳିରେ ସରକାର ଯେଉଁ ପଦକ୍ଷେପ ନେଇଥିଲେ ସେହିଭଳି ନୂଆବର୍ଷରେ ମଧ୍ୟ ଦୃଢ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟବାସୀ ନୂଆବର୍ଷ ଉତ୍ସବ ନିଜ ଘରେ ନିଜ ପରିବାର ସହ ପାଳନ କରନ୍ତୁ। ଭିଡ ନ କରନ୍ତୁ ଏବଂ ବାଣ ନ ଫୁଟାଇବାକୁ କହିଛନ୍ତି ରାଜ୍ୟ ସରକାର। ଏହା ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଜରୁରୀ ବୋଲି କହିଛନ୍ତି ସରକାର। ସେ କହିଛନ୍ତି ସୁପ୍ରିମକୋର୍ଟ କରୋନାକୁ ନେଇ ସବୁ ରାଜ୍ୟ ପାଇଁ ଯେଉଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜସ୍ଥାନ କଡାକଡି ଭାବେ ସବୁ ନିୟମ ପାଳନ କରିବ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ କରୋନାର ନୂଆ ଷ୍ଟ୍ରେନକୁ ନେଇ ଟ୍ୱିଟ୍ କରି କହିଛନ୍ତି, ‘ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଅତ୍ୟନ୍ତ ଚିନ୍ତାଜନକ। ଏ ସମ୍ବନ୍ଧରେ ଭାରତ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଉଚିତ। ତୁରନ୍ତ ବ୍ରିଟେନ୍ ଓ ୟୁରୋପୀୟ ଦେଶର ସମସ୍ତ ବିମାନ ସେବା ବନ୍ଦ କରିଦେବା ଉଚିତ।