ରାଜସ୍ଥାନରେ କରୋନା ସଙ୍କଟ : ଜୀବନ ବଞ୍ଚାଇବା ପାଇଁ ଲକଡାଉନ ନ ହଟାଇବାକୁ କହିଲେ ମୁଖ୍ୟମନ୍ତ୍ରୀ ଗେହଲତ

Published By : Prameya-News7 Bureau | April 08, 2020 IST

ଜୟପୁର ୦୮/୦୪ : କରୋନା ସ୍ଥିତିକୁ ଦେଖି ଦେଶରେ ୨୧ ଦିନିଆ ଲକଡାଉନ ଜାରି କରାଯାଇଛି | ଲକଡାଉନକୁ ଆଜି ୧୪ ଦିନ ହୋଇଛି | ଆସନ୍ତା ୧୪ ତାରିଖ ଯାଏଁ ଲକଡାଉନ ରହିବ | ଦେଶର ୨୨ ଜିଲ୍ଲାକୁ କରୋନା ସଂକ୍ରମିତ କରିଛି | ଲକଡାଉନ ଶେଷ ହେବାର ସମୟ ପାଖେଇ ଆସୁଛି | ଏପଟେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି | ରାଜସ୍ଥାନରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି | ରାଜସ୍ଥାନ ଜୟପୁରରେ ଏବେ ସୁଦ୍ଧା ୧୦୫ ଜଣ ଆକ୍ରାନ୍ତ ହୋଇ ସାରିଲେଣି | ଜୟପୁର ପରକୋଟା ଅଞ୍ଚଳକୁ ସମ୍ପୂର୍ଣ ସିଲ କରାଯାଇଛି | ୧୦ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି |

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ଏକ ବଡ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ, ରାଜସ୍ଥାନରେ ପାଖାପାଖି ୪୦ ଜାଗାରେ କର୍ଫ୍ୟୁ ଜାରି କରାଯାଇଛି | ଏଭଳି ସ୍ଥିତିରେ ଲକଡାଉନ ଖୋଲା ହେଲେ ମଧ୍ୟ ସବୁ ଜାଗାରେ ଖୋଲା ହେବନାହିଁ ବୋଲି ସେ କହିଛନ୍ତି | ଏହା ଏକ ଘଡ଼ିସନ୍ଧି ମୁହୂର୍ତ୍ତ | କୌଣସି ନିଷ୍ପତ୍ତି ନିଆଯାଇନାହିଁ | ବୁଝି ବିଚାରି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି |

ବର୍ତ୍ତମାନ ପରିସ୍ଥିତିରେ ଜୀବନ ବଞ୍ଚାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ଗଭୀରତାର ସହ ଚିନ୍ତା କରି ନିଷ୍ପତ୍ତି ନେବାକୁ ହେବ ବୋଲି ସେ କହିଛନ୍ତି | ଲକଡାଉନ ଉଠାଇବା ଭଳି ସ୍ଥିତି ନାହିଁ | ୨୧ ଦିନ ଜଣେ ଲୋକଙ୍କୁ ଘରେ ବନ୍ଦୀ କରି ରଖିବା ସାମାନ୍ୟ କଥା ନୁହେଁ | ଲକଡାଉନ ପାଇଁ ସମସ୍ତେ ଘରେ ବନ୍ଦୀ ହୋଇ ରହିଛନ୍ତି, ଲୋକଙ୍କ କାମ ଧନ୍ଦା ବନ୍ଦ ଅଛି | ଦେଶର ଆର୍ଥିକ ସ୍ଥିତି କେଉଁ ଆଡେ ଗତି କରୁଛି ତାହା ଚିନ୍ତା କରିବା ବଡ କଷ୍ଟ | ସାରା ଦେଶ ବର୍ତ୍ତମାନ ଚିନ୍ତିତ | କିନ୍ତୁ ବର୍ତ୍ତମାନ ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ସେଥିପାଇଁ ତତ୍କାଳ କୌଣସି ପଦକ୍ଷେପ ନିଆଯାଇପାରିବ ନାହିଁ ଯାହା ଦ୍ୱାରା ଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଗେହଲତ କହିଛନ୍ତି |

ରାଜସ୍ଥାନ ସରକାର ଦୁଇଟି ଟାସ୍କ ଫୋର୍ସ ଗଠନ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ କନଫରେନସିଂ ବୈଠକରେ ମୋଦି ସମସ୍ତ ରାଜ୍ୟ ସରକାରଙ୍କୁ ତାଙ୍କ ରାୟ ପଚାରିଥିଲେ | ରାଜସ୍ଥାନ ସରକାର ଦୁଇଟି ଟାସ୍କ ଫୋର୍ସ ଗଠନ କରିବା କଥା କହିଥିଲେ |

ଗୋଟିଏ ଟାସ୍କ ଫୋର୍ସ ଲକଡାଉନ କେବେ ଓ କେମିତି ଖୋଲିବ ସେନେଇ ନିରୀକ୍ଷଣ କରିବେ ଏବଂ ଦ୍ୱିତୀୟ ଟାସ୍କ ଫୋର୍ସ ଆର୍ଥିକ ବ୍ୟବସ୍ଥା କିଭଳି ପୁଣି ସୁଧାରି ହେବ ସେନେଇ ସମୀକ୍ଷା କରିବ | ଏହି ଟାସ୍କ ଫୋର୍ସରେ ଜଣେ ଅର୍ଥ ସଚିବ ରହିବେ ଓ ଜଣେ ଆଇଏଏସ ଅଧିକାରୀ ରହିବେ | ରିପୋର୍ଟ ପ୍ରସ୍ତୁତ ହେଲା ପରେ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗେହଲତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.