ବାହାର ରାଜ୍ୟରୁ ଆଣି ଚାଲିଛି ଚୋରା କାରବାର ; ୪ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ, ୨ଗିରଫ

Published By : Prameya-News7 Bureau | May 26, 2020 IST

ଭୁବନେଶ୍ୱର ୨୬।୦୫ : ଲକ୍‌ଡାଉନ୍‌ରେ ନିଶା ମାଫିଆ ମାନେ ଚଳାଇଛନ୍ତି ବେଧଡ଼କ କାରବାର । ବିଶେଷ କରି ମଦ ଦୋକାନ ବନ୍ଦର ସୁଯୋଗ ନେଇ ନିଶା ମାଫିଆମାନେ ମାଲେମାଲ୍‌ ହୋଇଛନ୍ତି । ଓଡ଼ିଶାରେ ମଦ ଦୋକାନ ବନ୍ଦ ଥିବା ବେଳେ ମାଫିଆମାନେ କୋଲକାତାରୁ ମଦ ଆଣି ବେଧଡ଼କ କାରବାର କରୁଥିଲେ । ଏଭଳି କାରବାର ଚଳାଇଥିବା ୨ ବେପାରୀଙ୍କୁ କମିଶନରେଟ୍‌ ପୁଲିସର କୁଇକ୍‌ ଆକ୍ସନ୍‌ ଟିମ୍ ‌(କ୍ୟୁଏଟି) ଏବଂ ସହିଦନଗର ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ଚନ୍ଦ୍ରଶେଖରପୁରର ବାସୁଦେବ ଦାସ(୩୮) ଓ ଜଗତସିଂହପୁର ରଘୁନାଥପୁରର ଦେବାଶିଷ ମହାନ୍ତି(୨୫) । ଦୁଇ ଜଣଙ୍କ ଠାରୁ ଏକ ବୋଲେରୋ ଗାଡ଼ି ସହ ୬୭ ଲିଟର ଦାମୀ ବିଦେଶୀ ମଦ ଜବତ ହୋଇଛି । ଜବତ ମଦର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି ।

wp:html /wp:html

ପୁଲିସ ସୂଚନା ଅନୁଯାୟୀ, ଓଡ଼ିଶାରେ ମଦ ଦୋକାନ ବନ୍ଦ ଥିବା ବେଳେ ବାସୁଦେବ ଓ ଦେବାଶିଷ କୋଲକାତାରୁ ମଦ ଚୋରାରେ ଆଣି ରାଜଧାନୀରେ ୪ ଗୁଣ ଅଧିକ ଦାମ୍‌ରେ ବିକ୍ରି କରୁଥିଲେ । ସେମାନେ ବୋଲେରୋ ନେଇ ଜାମଶୋଳା ଗେଟ୍‌ ନିକଟରେ ପହଞ୍ଚନ୍ତି । ସେଠାରେ ସେମାନଙ୍କୁ କୋଲକାତାର ନିଶା ମାଫିଆମାନେ ମଦ ଆଣି ଯୋଗାଇ ଦିଅନ୍ତି । ଦୁହିଁଙ୍କ ଏଭଳି ମଦ କାରବାର ବିଷୟରେ ଖବର ପାଇଥିଲା କ୍ୟୁଏଟି । ତେଣୁ ସେମାନଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା ।

ସୋମବାର ଅପରାହ୍ଣରେ ବାସୁଦେବ ଓ ଦେବାଶିଷ ବୋଲେରୋରେ ଆସୁଥିବା ବେଳେ ସେମାନଙ୍କୁ ଜୟଦେବବିହାର ଛକରେ କ୍ୟୁଏଟି ଓ ସହିଦନଗର ଥାନା ପୁଲିସ ଅଟକାଇଥିଲେ । ତେବେ ଚାଳକ ଦେବାଶିଷ ପୁଲିସକୁ ସରକାରୀ ଗାଡ଼ି କହିଥିବା ବେଳେ ପାଖ ସିଟ୍‌ରେ ବସିଥିବା ବାସୁଦେବ ନିଜକୁ ସରକାରୀ ଅଫିସର ବୋଲି ପରିଚୟ ଦେଇଥିଲେ । ମୋର ମିଟିଂ ଅଛି ବାଟ ଛାଡ଼ ବୋଲି କହିଥିଲେ । କିନ୍ତୁ ସେମାନଙ୍କ ଚାଲ୍‌ ପୁଲିସ ପୂର୍ବରୁ ଜାଣିଥିଲା । ପୁଲିସ ବୋଲେରୋ ଗାଡ଼ିକୁ ଚେକିଂ କଲା ବେଳେ ଭିତରୁ ବିପୁଳ ପରିମାଣର ଦାମୀ ବିଦେଶୀ ମଦ ମିଳିଥିଲା । ପୁଲିସ ଗାଡ଼ିକୁ ଜବତ କରିବା ସହ ଉଭୟଙ୍କୁ ଥାନାକୁ ନେଇଥିଲା । ମଦ ସହ ସେମାନଙ୍କ ନିକଟରୁ ପୁଲିସ ୪ ହଜାର ଟଙ୍କା ଓ ଦୁଇଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଥିଲା । ଆସନ୍ତାକାଲି ଦେବାଶିଷ ଓ ବାସୁଦେବଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.