ଟ୍ରକରେ ଆସୁଛି କରୋନା : ରାଜଧାନୀ ଲୋକଙ୍କ ପାଇଁ ନାହିଁ କାହାରି ନଜର !

Published By : Prameya-News7 Bureau | May 13, 2020 IST

ଭୁବନେଶ୍ୱର ୧୩।୦୫: ରାଜଧାନୀରେ ମାଳ ମାଳ ହୋଇ ବୁଲୁଛନ୍ତି କରୋନା ସଂକ୍ରମିତ । ରାଜ୍ୟ ବାହାରୁ ଟ୍ରକ୍‌ରେ ଆସୁଛନ୍ତି । କେତେବେଳେ ଜାତୀୟ ରାଜପଥ କଡ଼ରେ ଥିବା ଢାବାରେ ସମୟ କାଟୁଛନ୍ତି । ପୁଣି କେବେ ଗ୍ରୋସରୀ ଦୋକାନରେ ଭିଡ଼ ଲଗାଉଛନ୍ତି । ଖାଲି ସେତିକି ନୁହେଁ ଆମେ ବ୍ୟବହାର କରୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛି । ଏ ହେଉଛି ଭୁବନେଶ୍ୱର ଆସୁଥିବା ଶହ ଶହ ଟ୍ରକ୍‌ ଚାଳକଙ୍କ କଥା । ବାହାର ରାଜ୍ୟର ଟ୍ରକ୍‌ ଚାଳକଙ୍କ ମଧ୍ୟରୁ ୭୦ ପ୍ରତିଶତ କରୋନା ଆକ୍ରାନ୍ତ ବୋଲି ରିପୋର୍ଟ କହୁଛି । ଗତ ଗୁରୁବାର ଦିନ ଏହା ଜଣାପଡ଼ିବା ପରେ ରାଜଧାନୀରେ ଚହଳ ପଡ଼ିଛି । ବିଏମ୍‌ସି ଓ ପୁଲିସ୍‌ ଏମାନଙ୍କ ଉପରୁ ପୂରା ନଜର ହଟାଇ ଦେଇଛି । ଫଳରେ ଆଗକୁ ସ୍ଥିତି ସାଂଘାତିକ ହେବା ଆଶଙ୍କା ଉପୁଜିଛି ।

ଗତ ସପ୍ତାହରେ ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ଶତାଧିକ କରୋନା ଆକ୍ରନ୍ତ ଚିହ୍ନଟ ହେଲେ । ଏମାନଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ବାହାର କଲେ ରାଜ୍ୟ ସରକାର । ୯୦ ପ୍ରତିଶତ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ଲିଙ୍କ୍‌ ବୋଲି ସ୍ପଷ୍ଟ ହୋଇଥିଲା । ଏହାପରେ ପୁଲିସ୍‌ ପଶ୍ଚିମବଙ୍ଗ ସୀମାରେ ଅଧିକ ଫୋକସ୍‌ ଦେଲା । ଲୋକଙ୍କୁ ଚେକିଂ କରି ଛାଡିଲା । ହେଲେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଆସୁଥିବା ଶହ ଶହ ଆଳୁ ଗାଡ଼ିକୁ ପୁଲିସ୍‌ ଜଗି ନଥିଲା । ପଶ୍ଚିମବଙ୍ଗରୁ ଆଳୁ ନେଇ ସିଧା ଆଇଗଣିଆ କୁବେରପୁରୀ (ଆଳୁଗଦି)କୁ ଆସୁଛନ୍ତି । ଏମାନେ ବାଟରେ ଆସିବା ସମୟରେ ବିଭିନ୍ନ ଢାବାରେ ରହି ଖିଆ ପିଆ କରୁଛନ୍ତି । ପାନ ଓ ଗୁଟ୍‌ଖା ଖାଇ ଏଣେତେଣେ ଛେପ ପକାଉଛନ୍ତି । ଏଠାରେ ପହଞ୍ଚି ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଏଥିରେ କିଛି କଟକଣା ରହୁନି । କେବଳ ପଶ୍ଚମିବଙ୍ଗ ନୁହେଁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡରୁ ମଧ୍ୟ ଶହ ଶହ ଗାଡ଼ି ଆସୁଛି । ଏମାନଙ୍କ ବିଷୟରେ କାହା ପାଖରେ କିଛି ତଥ୍ୟ ନାହିଁ ।

ଚଳିତ ମାସ ୪ ତାରିଖରେ ମୁମ୍ବାଇରୁ ଏକ ମାଲ୍‌ ଗାଡ଼ି ଭୁବନେଶ୍ୱର ଅଭିମୁଖେ ବାହାରିଥିଲା । ଗତ ୭ ତାରିଖ ଗୁରୁବାର ସକାଳ ସାଢ଼େ ୫ ସମୟରେ ଗଙ୍ଗପଡା ଟୋଲ୍‌ ଗେଟ୍‌ ନିକଟରେ ଉକ୍ତ ଟ୍ରକ୍‌ (ଏମ୍‌ଏଚ୍‌ ୧୨ କ୍ୟୁଜି୨୦୨୩) ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ମୁମ୍ବାଇରୁ ଆସିଥିବା ଟ୍ରକ୍‌ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ଖବର ପାଇ ପ୍ରଥମେ ସେଠାକୁ ଯାଇଥିଲା ଯାଁଳା ଫାଣ୍ଡି ପୁଲିସ୍‌ ତା’ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆହତ ଚାଳକଙ୍କୁ ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର କରୋନା ଟେଷ୍ଟ୍‌ କରାଗଲା । ରିପୋର୍ଟ ଆସିଲା ଚାଳକ କରୋନା ଆକ୍ରାନ୍ତ ।

ଏହାପରେ ଚହଳ ପଡ଼ି ଯାଇଥିଲା । ଏହି ଚାଳକଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାଙ୍କୁ ଖୋଜା ଯାଇଥିଲା । ପ୍ରଥମ ପାଳି ପଡିଥିଲା ଏମ୍ସ ହସ୍ପିଟାଲ୍‌ରେ ଉକ୍ତ ଚାଳକଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସ । ତା’ପରେ ଯାଁଳା ଫାଣ୍ଡିର ସମସ୍ତ ୧୦ ଜଣ ପୁଲିସ୍‌, ୧୦୮ ଆମ୍ବୁଲାନ୍ସ ଚାଳକ, ହେଲ୍‌ପର ଓ କ୍ରେନ୍‌ ଡ୍ରାଇଭର । ଏହା ପରେ ମଧ୍ୟ ପୁଲିସ୍‌ ଓ ବିଏମ୍‌ସି ଏ ଦିଗରେ ଧ୍ୟାନ ଦେଉ ନାହାନ୍ତି । ଯାହାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଛି ଦୈନିକ ଶହ ଶହ ଟ୍ରକ୍‌ ଆଳୁ ଓ ପିଆଜ । ଦେଶରେ କରୋନା ଏପି ସେଣ୍ଟର ପାଲଟିଥିବା ମହାରାଷ୍ଟ୍ରରୁ ଆସୁଛି ପିଆଜ ଟ୍ରକ୍‌ । ତେଣୁ ଉଭୟ ରାଜ୍ୟରୁ ଆସୁଥିବା ଆଳୁ, ପିଆଜ ଟ୍ରକ୍‌କୁ ସାନିଟାଇଜ୍‌ କରାଯିବାକୁ କିଛି ଯୋଜନା ନାହିଁ । ଏ ସବୁ ଟ୍ରକ୍‌ ଚାଳକଙ୍କ ପାଇଁ ମଧ୍ୟ କିଛି ବ୍ୟବସ୍ଥା ନାହିଁ । ଫଳରେ ରାଜ୍ୟ ବାହାରୁ ଟ୍ରକ୍‌ରେ କରୋନା ଆକ୍ରାନ୍ତ ଆସି ଭୁବନେଶ୍ୱରରେ ବାଣ୍ଟୁଛନ୍ତି । ଏଥିରେ ଆଗକୁ ସ୍ଥିତି କ’ଣ ହେବ ତାହା ଜଳ ଜଳ ଦେଖାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.