ସରକାରୀ ପ୍ରୋଟୋକଲ ଯୋଗୁ ସାଙ୍ଗରେ ଅକ୍ସିଜେନ ରଖିପାରିନଥିଲେ ରାଜ କପୁର, ପୁରସ୍କାର ପାଇଁ ଉଠିପାରିନଥିଲେ ମଞ୍ଚକୁ

Published By : Prameya-News7 Bureau | October 09, 2019 IST

ରାଜ କପୁରଙ୍କୁ ଭାରତୀୟ ସିନେମାର 'ସୋ ମେନ୍' କୁହାଯାଏ। ହିନ୍ଦୀ ସିନେମାର ଏହି ଜଣାଶୁଣା ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକଙ୍କୁ  ଦାଦା ସାହେବ ଫାଲକେ ପୁରସ୍କାର ଲାଗି ନିଜ ମୂଲ୍ୟବାନ ଜୀବନ ହରାଇବାକୁ ପଡିଥିଲା ବୋଲି ଏବେ ଚର୍ଚ୍ଚା ହେଉଛି। ସରକାର ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ଲାଗି ମନୋନୀତ କରିବା ପରେ ସେ ବେଶ୍ ଉତ୍ସାହୀ ହୋଇ ଉଠିଥିଲେ। ପୁରସ୍କାର ଲାଗି ପରିବାର ସହ ଦିଲ୍ଲୀ ବି ଯାଇଥିଲେ। ହେଲେ ରାଷ୍ଟ୍ରପତି ଭବନକୁ ସାଙ୍ଗରେ ଅକ୍ସିଜେନ ସିଲିଣ୍ଡର ସହ ତାଙ୍କୁ ଛାଡି ଦିଆଯାଇନଥିଲା। ଯେଉଁଥି ଲାଗି ଆଜମା ବଢିଯିବାରୁ ଉତ୍ସବ ସ୍ଥଳରେ ରାଜ ଗୁରୁତର ଅସୁସ୍ଥ ହୋଇପଡିଥିଲେ ଓ ଶେଷରେ ଦିଲ୍ଲୀ ଏମସ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

{"id":168174,"width":581,"height":410}

କୁହାଯାଏ ରାଜ ପୁରସ୍କୃତ ହେବା ଲାଗି ଦିଲ୍ଲୀ ଯିବା ପର୍ଯ୍ୟନ୍ତ ବେଶ ସୁସ୍ଥ ଥିଲେ। ଫିଲ୍ମ 'ହୀନା'ର ସୁଟିଂରେ ରାଜ ବ୍ୟସ୍ତ ଥିବା ବେଳେ ସରକାର ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦେବାକୁ ଘୋଷଣା କରିଥିଲେ। ଆଜମା ଯୋଗୁ ରାଜ କପୁର ସବୁବେଳେ ସାଙ୍ଗରେ ଅକ୍ସିଜେନ ପାଖରେ ରଖୁଥିଲେ। ସିନେମା ଜଗତର ଶୀର୍ଷ ସମ୍ମାନ ଲାଗି ରାଜ ତାଙ୍କ ପରିବାର ସହ ଦିଲ୍ଲୀ ଯାଇଥିଲେ। ହେଲେ ସୁରକ୍ଷାଗତ କାରଣ ଲାଗି ରାଷ୍ଟ୍ରପତି ଭବନକୁ ରାଜଙ୍କ ଅକ୍ସିଜେନ ସିଲିଣ୍ଡରକୁ ଅନୁମତି ମିଳିନଥିଲା। ତେବେ ରାଜ ପୁରସ୍କାର ଲାଗି ଏତେ ଉତ୍ସାହିତ ଥିଲେ ଯେ ବିନା ସିଲିଣ୍ଡରରେ ବି ସେ ଉତ୍ସବ ସ୍ଥଳକୁ ଯିବାକୁ ରାଜି ହୋଇଯାଇଥିଲେ। ହେଲେ ସେ ନିଜ ଜୀବନ ଡୋରୀ ବାହାରେ ଛାଡିଯାଉଛନ୍ତି ବୋଲି ସେତେବେଳେ ଯାଏଁ ଭାବିନଥିଲେ। ହେଲେ କାର୍ଯ୍ୟକ୍ରମ ବେଳେ ଯେତେବେଳେ ତାଙ୍କୁ ଅବରୁଦ୍ଧ ହେଲା ଭଳି ଲାଗିଲା ସେତେବେଳେ ତାଙ୍କ ହାତରେ ଆଉ ସମୟ ନଥିଲା।

{"id":168175}

ରାଜଙ୍କ ଅବସ୍ଥା ଦେଖି ତତ୍କାଳୀନ ରାଷ୍ଟ୍ରପତି କେ.ଆର.ନାରାୟଣନ କାର୍ଯ୍ୟକ୍ରମରେ ତାଙ୍କ ଭାଷଣ ଅଧା ରଖି ମଞ୍ଚରୁ ତଳକୁ ଓହ୍ଲାଇବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ହେଲେ ସେତେବେଳକୁ ତାଙ୍କ ଅବସ୍ଥା ଗୁରୁତର ହୋଇସାରିଥିଲା। ତାଙ୍କୁ ତୁରନ୍ତ ଦିଲ୍ଲୀ ଏମସ୍ ପହଞ୍ଚା ଯାଇଥିଲା। ସେଠାରେ କିଛିଦିନ ଚିକିତ୍ସାଧୀନ ରହିବା ପରେ ରାଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ସେ ୬୩ ବର୍ଷ ବୟସ୍କ ଥିଲେ। ଯଦି ତାଙ୍କ ଲାଗି ପରିବାରରୁ ଅନ୍ୟ କେହି ଏହି ପୁରସ୍କାର ଗ୍ରହଣ କରିଥାନ୍ତେ ହୁଏତ ରାଜ ହିନ୍ଦୀ ସିନେମା ଜଗତକୁ ଆହୁରି ଅନେକ କିଛି ଦେଇପାରିଥାନ୍ତେ ବୋଲି ଏବେ କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.