‘୫୦ ଟଙ୍କା ବଢ଼ାଇ ୬ ଟଙ୍କା କମ୍‌ କରିଦେଲେ’, ତୈଳ ଦର ହ୍ରାସ ପରେ କେନ୍ଦ୍ରକୁ ଟିକାୟତଙ୍କ ଟାର୍ଗେଟ

Published By : Prameya-News7 Bureau | November 04, 2021 IST

ନୂଆଦିଲ୍ଲୀ ୦୪/୧୧: ଦିପାବଳୀର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଭ୍ୟାଟ୍‌ ହ୍ରାସ କରିଛନ୍ତି। ଏହାକୁ ନେଇ ଭାରତୀୟ କିଷାନ ୟୁନିୟନର  ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ କେନ୍ଦ୍ର ଉପରେ ବର୍ଷିଛନ୍ତି। ୫୦ ଟଙ୍କା ବଢ଼ାଇ ୬ ଟଙ୍କା କମାଇଦେଲେ । ଏହି ଦାମ୍‌କୁ ୬୦-୬୫ ଟଙ୍କାକୁ ଆଣିବା ଦରକାର ବୋଲି ଟିକାୟତ କହିଛନ୍ତି। ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ଟିକାୟତ କହିଛନ୍ତି, ତୈଳ ଦର ଆହୁରି କମ୍‌ ହେବା ଆବଶ୍ୟକ। ଆଗାମୀ ନିର୍ବାଚନ ପାଇଁ ସରକାର ଦାମ ଖସାଇଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ତେଲ ଦର ୧୦୦ ଟଙ୍କାକୁ ବଢ଼ାଇ ୫-୧୦ କମ୍‌ କରୁଛନ୍ତି। ଯେଉଁଭଳି ଭାବେ ତୈଳ ଦର ବଢ଼ୁଛି ସେମିତି ଫସଲ ଦାମ ବଢ଼ୁ ବୋଲି ଟିକାୟତ ଦାବି କରିଛନ୍ତି। ସେହିଭଳି ଗ୍ୟାସ ସିଲିଣ୍ଡର ଦାମକୁ ନେଇ ଟିକାୟତ ପ୍ରତିକ୍ରିୟା ଦେଇଛନ୍ତି। ସରକାର ତେଲ ଦାମ ତ କମାଇଲେ କିନ୍ତୁ ସିଲିଣ୍ଡର ଦାମର କଣ ହେଲା ?  ଅନ୍ୟ ଜିନିଷର ଦାମର କଣ ହେଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଭ୍ୟାଟ୍‌ ଯଥାକ୍ରମେ ୫ ଏବଂ ୧୦ ଟଙ୍କା କମ୍‌ କରିଛନ୍ତି। ଏହା ପରେ ପରେ ଓଡ଼ିଶା, ଉତ୍ତରପ୍ରଦେଶ, ଗୁଜୁରାଟ, ଗୋଆ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଆସାମ, ମଣିପୁର ତ୍ରୀପୁରା, ବିହାର, ମଧ୍ୟପ୍ରଦେଶ, ବିହାର ସରକାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଭ୍ୟାଟ୍‌ କମ୍‌ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.