ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ

Published By : Prameya-News7 Bureau | June 21, 2021 IST

ଭୁବନେଶ୍ୱର, ୨୧/୦୬ : ଉତ୍ତରପ୍ରଦେଶ ଉପରେ ଥିବା ଲଘୁଚାପ ଓ ରାଜସ୍ଥାନରୁ ବଙ୍ଗୋପସାଗରକୁ ଲମ୍ବିଥିବା ମୌସୁମୀ ଟ୍ରଫଲାଇନ ପ୍ରଭାବରେ ରାଜ୍ୟର କିଛି କିଛି ଜାଗାରେ ବର୍ଷା ହେଉଛି । ରବିବାର ଅପରାହ୍ନ ଓ ସନ୍ଧ୍ୟାରେ ଭୁବନେଶ୍ୱର, କଟକ ସମେତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି । ପାଣିପାଗ ବିଭାଗ କହିଛି, ସମ୍ଭବତଃ ସୋମବାରଠାରୁ ରାଜ୍ୟରେ ବର୍ଷା ବଢ଼ିପାରେ । ସୋମବାର ୧୧ ଜିଲ୍ଲାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨-୩ ଦିନ ରାଜ୍ୟରେ ବର୍ଷା ଅଧିକ ରହିପାରେ ।

ଅନୁମାନ କରାଯାଉଛି, ସୋମବାର ଉତ୍ତର ଓଡ଼ିଶାର ଅନେକ ଜାଗା ଓ ଦକ୍ଷିଣର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ବରଗଡ଼ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି ।

ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାବାଦ୍‌ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବୁଧବାର ଓ ଗୁରୁବାର ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ।

ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ପାଖାପାଖି ୧୦ ମିଲିମିଟର ବର୍ଷା ହୋଇଥିବାବେଳେ ସନ୍ଧ୍ୟାରେ କଟକରେ ବର୍ଷା ହୋଇଛି । ରବିବାର ରାଜ୍ୟରେ ଗରମ ସାମାନ୍ୟ ବଢ଼ିଥିବାବେଳେ ଉପକୂଳରେ ଖରା ବଢ଼ିଥିଲା, ଗୁଳୁଗୁଳି ବି ଅସ୍ତବ୍ୟସ୍ତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.