Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠୁ ବଢିବ ବର୍ଷା : ୨୨ ଯାଏଁ ଆଭ୍ୟନ୍ତରୀଣ ଉତ୍ତର ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷିବ

21/06/2020 at 6:57 AM

ଭୁବନେଶ୍ବର ୨୦।୬: ଏଯାବତ୍‌ ଜୁନ୍‌ରେ ରାଜ୍ୟରେ ବର୍ଷା ପରିମାଣ ସ୍ବାଭାବିକଠୁ ଅଧିକ ରହିଛି । ଆଜି ଠାରୁ ପୁଣି ବର୍ଷା ବଢ଼ିବା ସମ୍ଭାବନା ଅଛି । ୨୨ ଯାଏଁ ରାଜ୍ୟର ଆଭ୍ୟନ୍ତରୀଣ ଉତ୍ତର ଓ ପଶ୍ଚିମ ଓଡିଶାରେ ବର୍ଷା ଅଧିକ ରହିବ । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ସତ୍ତେ୍ୱ ବି ଚଳିତ ଜୁନ୍‌ ମାସ ସରିଲାବେଳକୁ ରାଜ୍ୟରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିବ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷାର ଘୋର ଅଭାବ ରହିପାରେ । କେତେକ ଜିଲ୍ଲାରେ ସ୍ବାଭାବିକ ତୁଳନାରେ ୫୦%ରୁ କମ୍‌ ବର୍ଷା ହୋଇପାରେ ।

ପାଣିପାଗ ବିଭାଗ କହିଛି, ଝାଡ଼ଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଉପରେ ଅଛି । ଏହା ପ୍ରଭାବରେ ଶୁକ୍ରବାର ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଜାଗାରେ ବର୍ଷା ହୋଇଛି । ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବରଗଡ଼, ସୋନପୁର, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର, ଅନୁଗୁଳରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ ଓ ଢେଙ୍କାନାଳର ୧/୨ ଟି ଜାଗାରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

ଆସନ୍ତା ୨୧ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ସୋନପୁର, ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ଝାରସୁଗୁଡ଼ାରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । କନ୍ଧମାଳ, କଟକ, ବୌଦ୍ଧ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ହୋଇପାରେ । ୨୨ ତାରିଖରେ ବି ବର୍ଷା ହେବ । ହେଲେ ୨୩ରୁ ବର୍ଷା ପରିମାଣ କମିବ ।

ଡକ୍ଟର ପଶୁପାଳକଙ୍କ ଆକଳନ ହେଲା, ଆଜି ରାଜ୍ୟରେ କାଁ ଭାଁ ବର୍ଷା ହେବ । ୨୧ ଓ ୨୨ ତାରିଖରେ ଅଧିକ ବର୍ଷା ହେବ । ମାତ୍ର ୨୩ରୁ ପାଗ ପ୍ରାୟତଃ ଶୁଖିଲା ଓ ଖରାଟିଆ ରହିବ । ଆସନ୍ତା ୨୧ ଓ ୨୨ ତାରିଖରେ ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ସୁନ୍ଦରଗଡ଼, ଅବିଭକ୍ତ କଳାହାଣ୍ଡି ଓ ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ଅଛି । ଏହି ଦୁଇଦିନରେ ହାରାହାରି ୫୦ରୁ ୬୦ ମିଲିମିଟର ବର୍ଷା ହୋଇପାରେ । ହେଲେ ତା’ ପରେ ବିଶେଷ ବର୍ଷା ନାହିଁ । ଆସନ୍ତା ୭ ଦିନ ଭିତରେ ଏସବୁ ଅଞ୍ଚଳରେ ହାରାହାରି ୬୦-୭୦ ମିମି ବର୍ଷା ହେବା ସମ୍ଭାବନା ଅଛି ।

ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ୨୧ ଓ ୨୨ ତାରିଖରେ ୧୦ରୁ ୨୦ ମିମି ବର୍ଷା ହୋଇପାରେ । ସପ୍ତାହକ ଭିତରେ ଉପକୂଳ ଅଞ୍ଚଳରେ ହାରାହାରି ୩୦ ମିମିରୁ କମ୍‌ ବର୍ଷା ହେବ । ୨୩ ତାରିଖ ପରେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ । ଏବେ କୌଣସି ଲଘୁୁଚାପ ସମ୍ଭାବନା ନାହିଁ । ତେଣୁ ମୌସୁମୀ ପ୍ରବାହ ଧିମା ରହିବ ।

ଅନୁମାନ କରାଯାଉଛି, ଜୁନ୍‌ ଶେଷ ସୁଦ୍ଧା ରାଜ୍ୟରେ ମୋଟ ବର୍ଷା ପରିମାଣ ସ୍ୱାଭାବିକ ତୁଳନାରେ ୩୦ରୁ ୪୦% କମ୍‌ ରହିବ । ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ପରିମାଣ ୫୦%ରୁ କମ୍‌ ବର୍ଷିବ ମୌସୁମୀ । ବର୍ତ୍ତମାନ ସୁଦ୍ଧା ମୌସୁମୀ ସବୁ ଅଞ୍ଚଳରେ ସମାନ ପରିମାଣର ବର୍ଷା ଦେଇନାହିଁ । ଦକ୍ଷିଣ ଓଡ଼ିଶା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳରେ ବର୍ଷା ଅଧିକ ଅଛି । ହେଲେ ଉପକୂଳ ଅଞ୍ଚଳରେ ବର୍ଷା ପରିମାଣ ସ୍ୱାଭବିକଠାରୁ କମ୍‌ ରହିଛି ।
ପାଣିପାଗ ବିଭାଗର ଆଜିର ତଥ୍ୟ ଅନୁଯାୟୀ ରାଜ୍ୟରେ ସ୍ୱାଭାବିକଠାରୁ ୨୩% ଅଧିକ ବର୍ଷା ହୋଇଛି । ନବରଙ୍ଗପୁର, ବଲାଙ୍ଗିର, ବୌଦ୍ଧ, ଯାଜପୁର, କେନ୍ଦ୍ରାପଡ଼ାରେ ବର୍ଷା ଯେତିକି ହେବା କଥା ହୋଇନି, ତା’ଠାରୁ କମ୍‌ ରହିଛି ।

   Related Posts