ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ; ୧୭ରୁ ରାଜ୍ୟରେ ପ୍ରବଳ ବର୍ଷା
14/12/2018 at 5:12 PM

ଭୁବନେଶ୍ବର ୧୪|୧୨: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଏବେ ଆନ୍ଧ୍ର ମୁହାଁ ହେଉଛି । ଚେନ୍ନାଇଠାରୁ ୯୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡର ରୂପ ନେବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ପାଖାପାଖି ରହିବ ଏବଂ ପ୍ରବଳବର୍ଷା ମଧ୍ୟ ହେବ । ଏହାର ପ୍ରଭାବରେ ୧୫ ତାରିଖଠାରୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ, ତାମିଲନାଡୁ ସମେତ ଓଡିଶା, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ପଶ୍ଚିମବଙ୍ଗ ଓ ପଣ୍ଡିଚେରିରେ ବି ବାତ୍ୟାର ପ୍ରଭାବ ପଡିପାରେ । ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଏହା ପ୍ରଭାବରେ ରାଜ୍ୟରେ କାଲିଠୁ କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୭ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ରହିଥିବା ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଚାଷୀମାନେ ଏହା ପୂର୍ବରୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି।