ଶିମିଳିପାଳରେ ବର୍ଷା, ନିଆଁ ଲିଭିବା ନେଇ ଆଶା ଜାଗ୍ରତ

Published By : Prameya-News7 Bureau | March 10, 2021 IST

କରଞ୍ଜିଆ ୧୦।୦୩: ଶିମିଳିପାଳର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି । କିଛି ଦିନ ହେବ ଲାଗିଥିବା ନିଆଁ ଲିଭିବା ନେଇ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଛି । କରଞ୍ଜିଆ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ସୂଚନା ମିଳିଛି ।

ଦୀର୍ଘ ଦିନ ହେବ ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ନିଆଁ ବଫର ଅଞ୍ଚଳରୁ କୋର ଅଞ୍ଚଳକୁ ବ୍ୟାପୁଥିବା ଫଳରେ ଗାଁ ମୁହାଁ ହେଲେଣି ବନ୍ୟଜନ୍ତୁ । ଶିମିଳିପାଳରେ ନିଆଁର ପ୍ରଭାବରେ ସ୍ଥାନୀୟ ଅଞ୍ଚଳ ମଧ୍ୟ ଧୂଆଁମୟ ହୋଇଯାଇଛି ।

ଦୀର୍ଘ ଦିନ ଧରି ଲାଗି ରହିଥିବା ନିଆଁ ଯୋଗୁଁ କିଛିଦିନ ହେବ ଶିମିଳିପାଳ ପାଦ ଦେଶରେ ଥିବା କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା ବଜାର ଅଞ୍ଚଳରେ ଧୂଆଁର ବଳୟ ଦେଖାଯିବା  ସହ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । ସ୍ଥାନୀୟ ଅଞ୍ଚଳରେ ନିଶ୍ବାସ ପ୍ରଶ୍ଵାସ ନେବା କଷ୍ଟ ହେଉଥିବା ବେଳେ  ପ୍ରବଳ ମାତ୍ରାରେ ଆଖି ପଡୁଥିବା ନେଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ଆଗାମୀ ଦିନରେ ଶିମିଳିପାଳର ନିଆଁକୁ ଶୀଘ୍ର ଲିଭା ନଗଲେ ଏହି ଧୂଆଁର ପ୍ରଭାବ ପରିବେଶ ସହ ଜୀବଜନ୍ତୁ ପ୍ରଭାବିତ ହେବେ ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଆଜି କହିଥିଲେ ।

ତେବେ ବର୍ଷାକୁ ଲୋକମାନେ ଅପେକ୍ଷା କରି ରହିଥିଲେ । କାରଣ ଯେଉଁଭଳି ନିଆଁ ବ୍ୟାପି ଚାଲିଥିଲା ତାହାକୁ ଲିଭାଇବା ଏକ ପ୍ରକାର ଅସମ୍ଭବ ଥିଲା । ଏହାର ଏକ ମାତ୍ର ଉପାୟ କେବଳ ବର୍ଷା ହିଁ ଥିଲା । ତେଣୁ ଆଜି ବର୍ଷା ହୋଇଥିବାରୁ ଲୋକଙ୍କ ମନରେ ଶିମିଳିପାଳକଗୁ ନେଇ ଆଶା ଜାଗ୍ରତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.