୧୧ ସୁଦ୍ଧା ଓଡିଶା ଛୁଇଁବ ମୌସୁମୀ, ଆଜି ୨୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | June 03, 2021 IST

ଭୁବନେଶ୍ୱର୦୩/୦୬; କେରଳରେ ଆଉ କିଛି ସମୟ ପରେ ପହଁଚିବ ମୌସୁମୀ । କେରଳ ଉପକୂଳକୁ ଗୁରୁବାର ସୁଦ୍ଧା ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବୋଲି ଆକଳନ କରାଯାଉଛି । ଏ ନେଇ ବାତାବରଣ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି, ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ହେବାକୁ ଯାଉଛି । ଯାହାକି ମୌସୁମୀକୁ ଟାଣି ଆଣି ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ପହଞ୍ଚାଇ ଦେବ ଓଡ଼ିଶାରେ । ତେଣୁ ଆସନ୍ତା ୧୧ ତାରିଖ ବେଳକୁ ରାଜ୍ୟରେ ମୌସୁମୀ ବର୍ଷା ହୋଇପାରେ । ଠିକଣା ସମୟରେ ବର୍ଷା ହେଲେ ଚାଷ କାମ ଆଗେଇବାକୁ ସହାୟକ ହେବ ।ଡକ୍ଟର ପଶୁପାଳକ କହିଛନ୍ତି, ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ପାଇଁ ପରିସ୍ଥିତି ଅନୁକୂଳ ରହିବ । ଏନ୍‌ସିଇପିର ଜିଏଫ୍‌ଏସ୍‌ ମଡେଲ୍‌ କହୁଛି, ଆସନ୍ତା ୫ ତାରିଖ ପରେ ପଶ୍ଚିମା ପବନ ମୋଡ଼ି ହୋଇ ଉତ୍ତରକୁ ପ୍ରବାହିତ ହେବ । ୧୦ ତାରିଖରେ ଘୂର୍ଣ୍ଣିବଳୟ ଓ ପରେ ଲଘୁଚାପ କ୍ଷେତ୍ର ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ସ୍ଥଳଭାଗରେ ସୃଷ୍ଟି ହୋଇପାରେ । ପ୍ରାଥମିକ ଆକଳନରୁ ଜଣାପଡ଼ୁଛି, ଜୁନ୍‌ ୧୦ କିମ୍ବା ୧୧ରେ ବାଲେଶ୍ୱରରେ ବର୍ଷା ଆରମ୍ଭ ହୋଇ ସାରା ରାଜ୍ୟରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ କମ୍‌ ବର୍ଷା ହୋଇପାରେ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବି ବର୍ଷା ସମ୍ଭାବନା ଅଛି । ଆସନ୍ତା ୭ ତାରିଖବେଳକୁ ସମ୍ଭାବ୍ୟ ଲଘୁଚାପ ବାବଦରେ ଚିତ୍ର ଅଧିକ ସ୍ପଷ୍ଟ ହେବ । ଯଦି ବି ଲଘୁଚାପ ନ ହୁଏ, ତା’ହେଲେ ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ମୌସୁମୀ ସେତେବେଳକୁ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହୋଇ ଜୁନ୍‌ ୧୧ ତାରିଖ ବେଳକୁ ବର୍ଷା କରାଇବ ଓଡ଼ିଶାରେ ।

ଗତ ୨୪ ଘଣ୍ଟା ଭିତରେ ଓଡ଼ିଶାର ଅନେକ ଜାଗାରେ କାଳବୈଶାଖୀ ବର୍ଷା ହୋଇଛି । ତାପମାତ୍ରା କମିଥିଲେ ବି ଗୁଳୁଗୁଳି ପ୍ରକୋପ ଜାରି ରହିଛି । ଭୁବନେଶ୍ୱରରେ ଆଜି ଦିନ ତାପମାତ୍ରା ୩୫ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୧୦୦% ଥିଲା । ଭୀଷଣ ଗୁଳୁଗଳି ଅସହ୍ୟ ହେଉଥିବାବେଳେ ଅପରାହ୍‌ଣରେ ପ୍ରାୟ ୨୦ ମିଲିମିଟର ବର୍ଷା ହୋଇଥିଲା । କଟକ ତାପମାତ୍ରା ୩୩.୬ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୯୫% ଥିଲା । ସେଠାରେ ବି ୧୯.୫ ମିମି ବର୍ଷା ହୋଇଥିଲା ଅପରାହ୍‌ଣରେ । ଫୁଲବାଣୀରେ ଆର୍ଦ୍ରତା ୯୮% ଥିବାବେଳେ ୩୮ ମିମି ବର୍ଷା ହୋଇଛି । ପାରଳାଖେମୁଣ୍ଡିରେ ଆଜି ଦିନବେଳା ୫୬ ମିମି ବର୍ଷା ଢାଳିଛି ।

ପାଣିପାଗ ବିଭାଗ କହିଛି, ଗୁରୁବାର ୨୨ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ସମସ୍ତ ଉପକୂଳ ଓଡ଼ିଶା (କଟକ, ଯାଜପୁର, ଖୋର୍ଦ୍ଧା) ସମେତ କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଗଜପତି, ସୁନ୍ଦରଗଡ଼, କୋରାପୁଟ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.