ଆସନ୍ତା ୨ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ଓ ବର୍ଷା ସମ୍ଭାବନା

Published By : Prameya-News7 Bureau | July 10, 2020 IST

ଭୁବନେଶ୍ୱର, ୧୦|୦୭: ଏବେ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ କିମ୍ବା ଟ୍ରଫଲାଇନ୍‌ ସମ୍ଭାବନା ନାହିଁ । ତେଣୁ ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । କିନ୍ତୁ ଆସନ୍ତା ଦୁଇଦିନ ରାଜ୍ୟର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ କହିଛି, ଶୁକ୍ରବାର ରାଜ୍ୟର କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁରରେ ଘଡ଼ଘଡ଼ି ସହ ଅସରାଏ ବଡ଼ ବର୍ଷା ହୋଇପାରେ । ଆସନ୍ତା ଦୁଇଦିନ ଏଭଳି ପାଗ ରହିବ । ତା’ ପରଦିନ ବର୍ଷା ପରିମାଣ ଆହୁରି କମିଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି ମୌସୁମୀ ପ୍ରଭାବରେ । ହେଲେ ବର୍ଷା କମିଯାଇଥିବାରୁ କ୍ରମଶଃ ବର୍ଷା ଅଭାବ ସମସ୍ୟା ବଢ଼ିବାରେ ଲାଗିଛି ।

ଏବେ ବି ରାଜ୍ୟର ୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ରହିଛି । ପୁରୀରେ ସ୍ୱାଭାବିକଠାରୁ ୪୦% କମ୍‌ ବର୍ଷା ହୋଇଥିବାବେଳେ ଯାଜପୁରରେ ୩୪%, କେନ୍ଦ୍ରାପଡ଼ାରେ ୩୨%, ଖୋର୍ଦ୍ଧାରେ ୨୯%, କଟକରେ ୨୭%, ବାଲେଶ୍ୱରରେ ୨୧% କମ୍‌ ବର୍ଷା ହୋଇଛି ।ଆଜି ଦିନ ଭିତରେ ଫୁଲବାଣୀ, ବୌଦ୍ଧ, ରାୟଗଡ଼ା, ଟିଟିଲାଗଡ଼ରେ ଅସରାଏ ଲେଖାଏଁ ବର୍ଷା ହୋଇଛି । ଭୁବନେଶ୍ୱରରେ ହାଲୁକା ବର୍ଷା ଛିଞ୍ଚିଥିବାବେଳେ ଝାରସୁଗୁଡ଼ା, ଅନୁଗୁଳ, ନୟାଗଡ଼ରେ ବି ହାଲୁକା ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.