ରାଜ୍ୟରେ ଏଥର କମ୍ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଅଧିକ ଲଘୁଚାପ

Published By : Prameya-News7 Bureau | April 17, 2021 IST

ଭୁବନେଶ୍ୱର,୧୭/୦୪: ଚଳିତ ବର୍ଷ ଦେଶରେ ଭଲ ବର୍ଷା ହେବ ।  ସ୍ୱାଭାବିକ ରହିବ ମୌସୁମୀ । ଭଲ ବର୍ଷା ନେଇ ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଜୁନରୁ ସେପ୍ଟେମ୍ବର ଶେଷ ସୁଦ୍ଧା ମୌସୁମୀ ବର୍ଷା ପରିମାଣ ୯୮% ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଏମଡି) ପ୍ରାକ୍‌ ଆକଳନ କରିଛି । ମାତ୍ର ଓଡ଼ିଶା ପାଇଁ ଆଇଏମଡି ଦେଖାଇଥିବା ପ୍ରାକ୍‌ ଆକଳନ ଚିତ୍ର କହୁଛି, ଦେଶରେ ଏଥର ଭଲ ବର୍ଷା ହେଲେ ମଧ୍ୟ ଓଡ଼ିଶାରେ ନିଅଣ୍ଟିଆ ରହିବ । ଅର୍ଥାତ ଓଡିଶାରେ କମ୍ ବର୍ଷା ହେବ ।

ରାଜ୍ୟରେ ସ୍ୱାଭାବିକଠାରୁ କମ୍‌ ବର୍ଷିବ ମୌସୁମୀ । ୭ଟି ଜିଲ୍ଲାରେ ବର୍ଷା କମ୍‌ ରହିବା ସମ୍ଭାବନା ଅଛି । ଉତ୍ତର ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ସବୁଠୁ ନିଅଣ୍ଟିଆ ରହିପାରେ । ଆଇଏମଡିର ପ୍ରାକ ଆକଳନ ଚିତ୍ର ଓଡ଼ିଶାକୁ ନିରାଶ କରିଥିବାବେଳେ ଆଶ୍ୱସ୍ତିଭରା ପୂର୍ବାନୁମାନ ଦେଖାଇଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ। ସେ କହିଛନ୍ତି, ଏବର୍ଷ ମୌସୁମୀ ବର୍ଷା ରାଜ୍ୟରେ ପ୍ରାୟତଃ ସ୍ୱାଭାବିକ ରହିବ । ଚଳିତବର୍ଷର ମୌସୁମୀ ବର୍ଷା ଖରିଫ ଫସଲ ପାଇଁ ଅନୁକୂଳ ରହିବ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଦେଶରେ ମୌସୁମୀ ସ୍ୱାଭାବିକ ରହିବ । ଓଡ଼ିଶାରେ ମଧ୍ୟ ଚଳିତବର୍ଷ ବର୍ଷା ସ୍ୱାଭାବିକ ହେବା ସମ୍ଭାବନା ରହିଛି ।

ଆଇଏମଡି ପୂର୍ବାନୁମାନକୁ ବିଶ୍ଳେଷଣ କରି ଡକ୍ଟର ପଶୁପାଳକ କହିଛନ୍ତି, ଏହି ପ୍ରାକ୍‌ ପୂର୍ବାନୁମାନ ଅନୁଯାୟୀ ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । କେତେକ ସ୍ଥାନରେ ଅଧିକ ବର୍ଷା ହେବ । ହେଲେ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍‌ ରହିପାରେ ମୌସୁମୀ ବର୍ଷା । ଏଥିରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼, ପୂର୍ବ ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର କେତେକ ଜିଲ୍ଲା ଏବଂ ପୂର୍ବୋତ୍ତର ରାଜ୍ୟରୁ ଅନେକ ଅଞ୍ଚଳ ରହିଛି ।

ଓଡ଼ିଶାର ଆଭ୍ୟନ୍ତରୀଣ ଉତ୍ତର-ପଶ୍ଚିମ ଅଞ୍ଚଳରେ (ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼) ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ରହିବାର ସମ୍ଭାବନା ୩୫%ରୁ ୫୫% । ଉତ୍ତର ଉପକୂଳର ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ସଂଲଗ୍ନ ଜିଲ୍ଲା ଏବଂ କେନ୍ଦ୍ରୀୟ ଉପକୂଳର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ସଂଲଗ୍ନ ଜିଲ୍ଲାରେ ଦୀର୍ଘକାଳୀନ ହାରାହାରି ବା ସ୍ୱାଭାବିକ ବର୍ଷା ହୋଇପାରେ । ସମ୍ବଲପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ୪୫% । ତେବେ ଆଭ୍ୟନ୍ତରୀଣ ଗଞ୍ଜାମ, ଗଜପତି ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଥିବାସ ସେ କହିଛନ୍ତି ।

ଆହୁରି ମଧ୍ୟ ଅନୁମାନ କରାଯାଇଛି ଯେ, ଏ ବର୍ଷ ଆରବ ସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ଲଘୁଚାପ ସୃଷ୍ଟି ହୋଇପାରେ । ମେ’ ମାସରେ ଭଲ ବର୍ଷା ଯୋଗୁ ଖରାଟିଆ ଜମି ପ୍ରସ୍ତୁତି ପାଇଁ ପାଗ ଅନୁକୂଳ ରହିବ । ଲା-ନିନା ପୁନଃ ସକ୍ରିୟତା ଯୋଗୁ ଅକ୍ଟୋବର ଓ ନଭେମ୍ବର ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ମଧ୍ୟ ହୋଇପାରେ । ବୋଲି ଡକ୍ଟର ପଶୁପାଳକ ଆକଳନ କରିଛନ୍ତି ।

ସେହିପରି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ମୌସୁମୀ ନେଇ ପ୍ରଥମ ଆକଳନ ଜାରି ହୋଇଛି । ଏହା ପ୍ରାକ୍‌ ଆକଳନ। ଦେଶରେ ବର୍ଷା ସ୍ୱାଭାବିକ ରହିବା ସମ୍ଭାବନା ଅଛି । ଓଡ଼ିଶା ନେଇ ଏବେଠାରୁ ବିସ୍ତୃତ ଭାବେ କହିହେବନି । ତଥାପି ଉତ୍ତର ଓଡ଼ିଶାର କିଛି ଜାଗାରେ ବର୍ଷା କମିବା ନେଇ ପ୍ରାକ୍‌ ଆକଳନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.