ଆସନ୍ତା ସପ୍ତାହରେ ଲଘୁଚାପ, ୨୪ ଯାଏଁ ଛେଚିବ

Published By : Prameya-News7 Bureau | July 15, 2021 IST

ଭୁବନେଶ୍ୱର, ୧୫/୦୭:   ଗୁରୁବାର ଓ ଶୁକ୍ରବାର ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ତେବେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ଅଛି, ଯାହା ପ୍ରଭାବରେ ରାଜ୍ୟରେ ୧୭ରୁ ବର୍ଷା ବଢ଼ିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆଜି ରାଜ୍ୟରେ ହାଲୁକା ଖରା ଓ କାଁ ଭାଁ ବର୍ଷା ହେବ । ୨୦ରୁ ବର୍ଷା ବଢ଼ିବ । ୨୪ ପର୍ଯ୍ୟନ୍ତ ଅଧିକ ବର୍ଷା ହେବ । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ବର୍ଷା ବଢ଼ିବ ବୋଲି ଡ. ସାହୁ ଆକଳନ କରିଛନ୍ତି । ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ଅଛି । ତେଣୁ ଦୁଇ ଦିନ ବର୍ଷା କମ ରହିବ । ତେବେ ୧୭ରୁ ରାଜ୍ୟରେ ବର୍ଷା ବଢ଼ିବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।

ବୁଧବାର ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ୧୦ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୭ ମିମି, କୋରାପୁଟରେ ୫ ମିମି ଓ ଟିଟିଲାଗଡ଼ରେ ୩ ମିମି ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ବାଣପୁରରେ ୫୨ମିମି, ରାଜଗାଙ୍ଗପୁରରେ ୫୧ ମିମି, ଟିକାବାଲିରେ ୪୯ ମିମି, ଖଣ୍ଡପଡ଼ାରେ ୪୪ ମିମି, କୋମନାରେ ୪୧ ମିମି ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.