୧୧ ଜିଲ୍ଲାରେ କମ୍ ବୃଷ୍ଟିପାତ, ୫ରେ ସ୍ଥିତି ସଙ୍ଗୀନ : ଜୁଲାଇ ପ୍ରଥମ ସପ୍ତାହ ଯାଏଁ ନାହିଁ ବଡ ବର୍ଷା

Published By : Prameya-News7 Bureau | June 27, 2021 IST

ଭୁବନେଶ୍ୱର,୨୭/୦୬:  ୧୧ ଜିଲ୍ଲାରେ ବର୍ଷା କମ୍‌ ରହିଛି । ଏଥିମଧ୍ୟରୁ ଭଦ୍ରକ, ଗଞ୍ଜାମ, ଗଜପତି, କନ୍ଧମାଳ ଓ ଯାଜପୁରରେ ବର୍ଷା ପରିମାଣ ସବୁଠୁ କମ୍‌ ରହିଛି । ୩୪ ପ୍ରତିଶତରୁ ୪୯% ପର୍ଯ୍ୟନ୍ତ ବର୍ଷା ଅଭାବ ରହିଛି ଏହି ୫ ଜିଲ୍ଲାରେ । ଏପଟେ ପାଣିପାଗ ପୂର୍ବାନୁମାନ କହୁଛି, ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ଅଧିକାଂଶ ଅଞ୍ଚଳ ଶୁଖିଲା ରହିବ କିମ୍ବା ମଝିରେ ମଝିରେ ହାଲୁକା ବର୍ଷା ହୋଇପାରେ । ଯଦି ଏମିତି ସ୍ଥିତି ଲାଗି ରହିବ, ତେବେ ଆଗକୁ ସ୍ଥିତି ବିଗିଡ଼ିପାରେ । ପ୍ରଭାବିତ ହୋଇପାରେ ଚାଷ

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ରାଜ୍ୟରେ ଏବେ ବିଶେଷ ବର୍ଷା ସମ୍ଭାବନା ନାହିଁ । ରାଜ୍ୟରେ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ଅଛି । ଏହି ଅବସ୍ଥା ଆଗକୁ ଜାରି ରହିବ । ଜୁଲାଇ ପ୍ରଥମ ସପ୍ତାହ ଯାଏଁ ବିଶେଷ ବର୍ଷା ହେବ ନାହିଁ ।
ଆକଳନ କରାଯାଉଛି, ଜୁନ୍‌ ୨୯ ଓ ୩୦ରେ ଗଞ୍ଜାମ ଉପକୂଳରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ, ୨୮ ଓ ୨୯ ତାରିଖରେ କଳାହାଣ୍ଡି ଓ ନୂଆପଡ଼ା, ୨୯-୩୦ ତାରିଖରେ ସୁନ୍ଦରଗଡ଼ ଓ ସଂଲଗ୍ନ ଜିଲ୍ଲାର କେତେକ ଜାଗାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟାନ୍ୟ ଅଞ୍ଚଳର ଅଳ୍ପ କେତେକ ସ୍ଥାନରେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ମଝିରେ ମଝିରେ ହାଲୁକାରୁ ସ୍ୱଳ୍ପ ବର୍ଷା (୧୫ ମିଲିମିଟର ପର୍ଯ୍ୟନ୍ତ) ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏଭଳି ସ୍ଥିତି ଯୋଗୁ ବର୍ଷା ନିଅଣ୍ଟିଆ ଥିବା ଜିଲ୍ଲାରେ ସ୍ଥିତି ବଦଳିବା ସମ୍ଭାବନା କମ୍‌ । ବିଶେଷ କରି ଗଞ୍ଜାମ, ଭଦ୍ରକ, ଯାଜପୁର, ଗଜପତି, ନୟାଗଡ଼, ରାୟଗଡ଼ା, କନ୍ଧମାଳରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇପାରେ ।

ଡ. ପଶୁପାଳକ କହିଛନ୍ତି, ବର୍ଷା ଅଭାବରୁ ଢିପ ଜମିରେ ଚିନାବାଦାମ, ହରଡ଼, କପା ଆଦି ଫସଲ ଲଗାଇବା କଷ୍ଟକର ହୋଇଛି । ତେଣୁ ଭଲ ବର୍ଷା ପାଇଁ ଅପେକ୍ଷା କରିବାକୁ ହେବ । ଯଦି ଜଳସେଚନର ସୁବିଧା ଅଛି, ତେବେ ଧାନ ତଳି ପକାଇ ପାରିବେ । ଜଳସେଚନ ସୁବିଧା ନଥିଲେ ଭଲ ବର୍ଷାକୁ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ, ଦୀର୍ଘ ଅବଧି କିସମ ବଦଳରେ ମଧ୍ୟମ ଅବଧି (୧୨୦ ଦିନରୁ ୧୩୦ ଦିନିଆ) କିସମ ତଳି ଜୁଲାଇରେ ପକାଇବା ପାଇଁ ଉପଯୁକ୍ତ ହେବ ।
ପାଣିପାଗ ବିଭାଗ କହିଛି, ରବିବାର ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ତଟବର୍ତ୍ତୀ ଜିଲ୍ଲା ଓ ପାଶ୍ୱର୍ବର୍ତ୍ତୀ କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସୋମବାରଠାରୁ ଆଉ ବିଶେଷ ବର୍ଷା ନାହିଁ । କାଁ ଭାଁ ବର୍ଷା ହେବ । ୩୦ ତାରିଖରେ କିଛି ବର୍ଷା ହୋଇପାରେ । ତା’ପରେ ପ୍ରାୟ ୪/୫ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ସମ୍ଭାବନା ନାହିଁ ।
ଜୁନ୍‌ ପହିଲାରୁ ଏଯାଏଁ ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ କେବଳ ୩% ଅଧିକ ବର୍ଷା ହୋଇଛି । ହେବା କଥା ୧୭୫.୩ ମିମି ବର୍ଷା, ହୋଇଛି ୧୬୯.୬ ମିମି ।

ଜୁନ୍‌ ୧ରୁ ୨୬ ଜୁନ୍‌ ମଧ୍ୟରେ ୧୧ ଜିଲ୍ଲାରେ ବର୍ଷା କମ୍‌ ରହିଛି । ଭଦ୍ରକରେ ସ୍ୱାଭାବିକଠାରୁ ୪୯% କମ୍‌ ବର୍ଷା ହୋଇଥିବାବେଳେ ଗଞ୍ଜାମରେ ୪୬%, ଗଜପତିରେ ୪୬%, କନ୍ଧମାଳରେ ୩୫%, ଯାଜପୁରରେ ୩୪% ନିଅଣ୍ଟ ରହିଛି ବର୍ଷା । ଏସବୁ ଜିଲ୍ଲାରେ ବର୍ଷା ଅଭାବରୁ ଚାଷ କାମ ଆଗେଇ ପାରୁନି । ବର୍ଷା ନହେଲେ ସ୍ଥିତି ସାଂଘାତିକ ହୋଇପାରେ ।ଏହାବାଦ୍‌ କେନ୍ଦୁଝରରେ ସ୍ୱାଭାବିକଠାରୁ ୨୭%, ବଲାଙ୍ଗିରରେ ୨୬%, ନବରଙ୍ଗପୁରରେ ୨୫%, ରାୟଗଡ଼ାରେ ୨୪%, ବୌଦ୍ଧରେ ୨୪% ଓ ମୟୂରଭଞ୍ଜରେ ୨୪% କମ୍‌ ରହିଛି ମୌସୁମୀ ବର୍ଷା ।

ପୁରୀ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ସ୍ୱାଭାବିକଠାରୁ ୬୬% ଅଧିକ ବର୍ଷା ହୋଇଛି ପୁରୀରେ । ୯ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ନୂଆପଡ଼ା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟରେ ସ୍ୱାଭାବିକଠାରୁ ୨୦ରୁ ୫୯% ବର୍ଷା ହୋଇଛି । ବାକି ୯ ଜିଲ୍ଲାରେ ବର୍ଷା ଏଯାବତ୍‌ ସ୍ୱାଭାବିକ ଅଛି ।ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୫୫.୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଗଞ୍ଜାମରେ ସର୍ବନିମ୍ନ ୭୯.୫ ମିମି ବର୍ଷା ହୋଇଛି । ଆଜି ଦିନ ଭିତରେ କାଁ ଭାଁ ହାଲୁକା ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.