୧୦ରେ ଓଡିଶା ଛୁଇଁବ ମୌସୁମୀ ! ୧୧ରୁ ଅତିପ୍ରବଳ ବର୍ଷା

Published By : Prameya-News7 Bureau | June 09, 2021 IST

ଭୁବନେଶ୍ୱର, ୦୯/୦୬:    ଆସୁଛି ମୌସୁମୀ । ପାଗ ବଦଳିଲାଣି। ରାଜ୍ୟରେ ନିୟମିତ ପ୍ରାକ୍‌ ମୌସୁମୀ ବର୍ଷା ଜାରି ରହିଛି। ସ୍ଥିତି ପୂରା ଅନୁକୂଳ। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଏହା ମୌସୁମୀକୁ ଧରି ଆଣି ଓଡ଼ିଶାରେ ଆସନ୍ତା ଦୁଇଦିନ (୯ ଜୁନ ଓ ୧୦ ଜୁନ୍‌) ଭିତରେ ପହଞ୍ଚାଇ ଦେବ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଏହାବାଦ୍‌ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳରେ ଘଡ଼ଘଡ଼ି ସହ ୪୦-୫୦ କିମି ବେଗରେ ପବନ ଏବଂ ବର୍ଷା ହୋଇପାରେ।

ଆସନ୍ତା ୧୧ ଜୁନ୍‌ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ତେବେ ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ପ୍ରବେଶ କରିପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୦ରୁ ୧୪ ତାରିଖ ଭିତରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଅଛି। ଅନ୍ୟପକ୍ଷରେ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତ ରୂପ ନେବ। ଗଭୀର ଅବପାତ ରୂପ ନେଲାବେଳକୁ ଏହା ପଶ୍ଚିମ ଓଡ଼ିଶା ଉପରେ ଥିବା ଅନୁମାନ କରାଯାଉଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶା ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ। କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ।

ଆସନ୍ତା ୧୦ ତାରିଖରେ ଉପକୂଳର କିଛି ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗିର ଓ ଅବିଭକ୍ତ କୋରାପୁଟରେ ମଧ୍ୟମ ବର୍ଷା ହେବ । ୧୧ରୁ ୧୩ ତାରିଖ ଭିତରେ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳରେ ସମୁଦାୟ ପ୍ରାୟ ୧୦୦ ମିଲିମିଟର ବର୍ଷା ହୋଇପାରେ । ଉତ୍ତର ଉପକୂଳ ଓ ଆଭ୍ୟନ୍ତରଣରେ ଆସନ୍ତା ୧୦ରୁ ୧୫ ତାରିଖ ଭିତରେ ୯୦ ମିମି, ୧୨ରୁ ୧୫ ତାରିଖ ଭିତରେ ଦକ୍ଷିଣ ଓଡ଼ିଶାରେ ୨୦୦ ମିମି ବର୍ଷା ହୋଇପାରେ । ଜଗତସିଂହପୁରଠାରୁ ସମ୍ବଲପୁର ସଂଯୋଗ କରୁଥିବାବେଳେ ସରଳରେଖାର ଦକ୍ଷିଣରେ ଥିବା ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଆସନ୍ତା ୧୩ ଓ ୧୪ ତାରିଖରେ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ, ଫୁଲବାଣୀ, ଗଞ୍ଜାମ, ଗଜପତି ଓ ଅବିଭକ୍ତ କୋରାପୁଟର ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ଢାଳିପାରେ । ଭୁବନେଶ୍ୱରରେ ୧୨ ଓ ୧୩ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଜୁନ୍‌ ୧୩ ସୁଦ୍ଧା ସର୍ବାଧିକ ତାପମାତ୍ରା ବିଭିନ୍ନ ସ୍ଥାନରେ ବର୍ତ୍ତମାନ ତୁଳନାରେ ୧୦ରୁ ୧୨ ଡିଗ୍ରୀ କମିଯାଇଥିବ । ଏହାସହ ବର୍ଷା, ସମ୍ପୂର୍ଣ୍ଣ ମେଘୁଆ ପାଗ ଚଳିତ ମୌସୁମୀର ଦୃଶ୍ୟପଟ୍ଟ ରହିବ । ଏହା ଗରମରୁ ଆଶ୍ୱସ୍ତି ଦେବ ।

ପାଣିପାଗ ବିଭାଗ କହିଛି, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୦ ତାରିଖରେ ରାଜ୍ୟର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଅନୁଗୁଳ, ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, ବୌଦ୍ଧ, କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ ।

୧୧ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଅଛି । ପାଣିପାଗ ବିଭାଗ ସତର୍କ କରାଇଛି-ଏସବୁ ଅଞ୍ଚଳର କେତେକ ସ୍ଥାନରେ ବର୍ଷା ପାଣି ଜମିବା ସହ ଆକସ୍ମିକ ବନ୍ୟା ସ୍ଥିତି ଆସିପାରେ । ମାଟି ରାସ୍ତା ବର୍ଷା ଦ୍ୱାରା ନଷ୍ଟ ହୋଇପାରେ । ଲଗାଣ ବର୍ଷାରେ ପନିପରିବା ଚାଷ ପ୍ରଭାବିତ ହେବା ଆଶଙ୍କା ରହିଛି ।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରେ ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, କଳାହାଣ୍ଡି,ନୂଆପଡ଼ାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେକେତ ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷର୍ା ଲାଗି ରହିବ । ଏହାବାଦ୍‌ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ଦେବଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧୦ ତାରିଖରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.