ଅଷ୍ଟମୀରୁ ଦଶହରା ଯାଏଁ ରାଜ୍ୟରେ ମେଘୁଆ ପାଗ, ୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | October 04, 2021 IST

ଭୁବନେଶ୍ୱର ୦୪/୧୦: ରାଜ୍ୟରେ ମୌସୁମୀ ବର୍ଷା କାଁ ଭାଁ ହେଉଛି । ଆକାଶ ନିର୍ମଳ ରହିବା ସହ ଧଳା ମେଘ ଖଣ୍ଡ ଦେଖାଦେଉଛି । ଶୁଖିଲା ପାଗ ଯୋଗୁ ସୂର୍ଯ୍ୟକିରଣର ମାତ୍ରା ବଢ଼ିଛି । ବାୟୁର ଆର୍ଦ୍ରତା ବି ଅଧିକ ରହୁଛି । ଟାଣ ଖରା ସହ ଗୁଳୁଗୁଳି ଲାଗୁଛି । ଦିନବେଳା ଏହି ତାପମାତ୍ରା ବୃଦ୍ଧିର କାରଣ ହେଉଛି ଅକ୍ଟୋବର ହିଟ୍‌ । ଆସନ୍ତା ଦୁଇ ସପ୍ତାହ ଯାଏ ମୌସୁମୀ ପ୍ରତ୍ୟାବର୍ତ୍ତନର ସଙ୍କେତ ମିଳୁନି । ମହାଷ୍ଟମୀଠାରୁ ଦଶମୀ ଯାଏ ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହା ପୂର୍ବାନୁମାନ କରିଛନ୍ତି ।

ତେବେ ସୋମବାର ରାଜ୍ୟର ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଡ. ପଶୁପାଳକ କହିଛନ୍ତି, ଆସନ୍ତା ୯ ସୁଦ୍ଧା ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ପାଗ ଶୁଖିଲା ରହିବ । ମହାରାଷ୍ଟ୍ର ଓ ସଂଲଗ୍ନ ଦକ୍ଷିଣ ଗୁଜୁରାଟରୁ ପଶ୍ଚିମବଙ୍ଗ ଯାଏ ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ଥିବା ରାଜ୍ୟ ଓ ଉତ୍ତର ପୂର୍ବ ରାଜ୍ୟରେ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ପ୍ରତ୍ୟାବର୍ତ୍ତନର ସଙ୍କେତ ମିଳୁନି । ଆସନ୍ତା ୮ରୁ ୧୦ ତାରିଖ ଭିତରେ ଭୁବନେଶ୍ୱର ସମେତ କେନ୍ଦ୍ରୀୟ ଓ ଉତ୍ତର ଉପକୂଳ ଓଡ଼ିଶା, କେନ୍ଦ୍ରୀୟ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୨ଡିଗ୍ରୀ ଯାଏ ବଢ଼ିବ । କେନ୍ଦ୍ରୀୟ ଉପକୂଳ ଓଡିଶାରେ ରାତି ତାପମାତ୍ରା ୧ଡିଗ୍ରୀରୁ ୧.୫ ଡିଗ୍ରୀ ପାଣିପାଗ ଚାଷୀମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଧାନ କିଆରୀରେ ପାଣି ବାନ୍ଧି ରଖନ୍ତୁ । ଏହି ସମୟରେ ଧାନ ଫସଲରେ ପାଣି ଓ ଖାଦ୍ୟସାରର ଆବଶ୍ୟକତା ଅଧିକ ଥାଏ । ସଞ୍ଚାର ଆସିଥିଲେ ୟୁରିଆ ସାର ପ୍ରୟୋଗ କରନ୍ତୁ । ରବି ଅଣଧାନ ଫସଲ ଲଗାଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.