ବର୍ଷାରେ ଭିଜିବ ମହାଷ୍ଟମୀ ! ୧୦ ଯାଏଁ ଖରାଟିଆ ପାଗ, ୭ରେ ଘୂର୍ଣ୍ଣିବଳୟ ସମ୍ଭାବନା

Published By : Prameya-News7 Bureau | October 02, 2021 IST

ଭୁବନେଶ୍ୱର,୦୨/୧୦: ଏବେ ବିଶେଷ ବର୍ଷା ନାହିଁ । କାଁ ଭାଁ ବର୍ଷା ହୋଇପାରେ । ଆସନ୍ତା ୧୦ ତାରିଖ ଯାଏ ପାଗ ମୁଖ୍ୟତଃ ଖରାଟିଆ ରହିବ । ତେବେ ଦୁର୍ଗା ପୂଜା ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନାରେ ବର୍ଷା ହୋଇପାରେ । ପ୍ରବଳ ନ ହେଲେ ବି ମହାଷ୍ଟମୀକୁ ଭିଜାଇପାରେ ବର୍ଷା । ଦଶହରା ପରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ମଧ୍ୟ ରହିଛି ।

କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଏବେ ଝାଡ଼ଖଣ୍ଡ ଓ ବିହାର ଉପରେ ଯେଉଁ ଲଘୁଚାପ ଅଛି,ତା’ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ସେହିପରି ତାମିଲନାଡ଼ୁ ଉପକୂଳରେ ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ବି ତାମିଲନାଡ଼ୁ, କର୍ଣ୍ଣାଟକ ଡେଇଁ ଆରବସାଗରକୁ ମୁହାଁଇବ ।

ତେବେ ଆସନ୍ତା ୭ ତାରିଖବେଳକୁ ମିଆଁମାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ୮ ତାରିଖବେଳକୁ ବଙ୍ଗୋପସାଗରରେ ପହଞ୍ଚିବ । ହେଲେ ଏହା ବିଶେଷ ଘନୀଭୂତ ହେବା ସମ୍ଭାବନା କମ୍‌ । ୧୧ ତାରିଖବେଳକୁ ଓଡ଼ିଶାରେ ଏହାର ପ୍ରଭାବ ଆରମ୍ଭ ହେବ । ୧୨ ଓ ୧୩ରେ ପ୍ରଭାବ ଅଧିକ ରହିବ । ମାତ୍ର ବିଶେଷ ବର୍ଷା ସମ୍ଭାବନା କମ୍‌ । ଅର୍ଥାତ୍‌ ଅଷ୍ଟମୀ ପାର୍ବଣରେ ବର୍ଷା ହୋଇପାରେ । ଏହାପରେ ପୁଣି ୧୫ କିମ୍ବା ୧୬ ତାରିଖବେଳକୁ ମିଆଁମାରର ଦକ୍ଷିଣ ଉପକୂଳ ପଟୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅଧିକ ଘନୀଭୂତ ହେବ କି ନାହିଁ? କେଉଁ ଦିଗରେ ଗତି କରିବ? ଏବେଠାରୁ ଆକଳନ କରିହେବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.