୨୬ରୁ ଅତି ପ୍ରବଳ ବର୍ଷା, ଉପକୂଳଠୁ ଆଭ୍ୟନ୍ତରୀଣ ସବୁଠି ଢାଳିବ

Published By : Prameya-News7 Bureau | September 21, 2021 IST

ଭୁବନେଶ୍ୱର,୨୧/୦୯: ବଡ଼ ବର୍ଷା ଆସୁଛି । ୨୬ରୁ ଢାଳିବ । ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ସବୁଠି ପ୍ରବଳ ବର୍ଷା କରାଇବ । ବେଶି ବର୍ଷିବ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ। ମାସ ଶେଷରେ ବୁଡ଼େଇବ। ଏହା ପ୍ରଭାବରେ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପହିଲାବେଳକୁ ରାଜ୍ୟରେ ବଡ଼ ବନ୍ୟା ଆସିପାରେ।ବର୍ତ୍ତମାନ ସବୁ ନଦୀର ଜଳପତ୍ତନ ବୃଦ୍ଧି ପାଇଛି। ଏବେ ବନ୍ୟା ଆଶଙ୍କା ଟଳି ଯାଇଥିବାବେଳେ ଆଗକୁ ଲଗାଣ ବର୍ଷା ସମ୍ଭାବନା ଥିବାରୁ ପୁଣି ନଈଗୁଡ଼ିକ ଫୁଲିପାରେ ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ବର୍ତ୍ତମାନର ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ବର୍ଷା ହେବ । କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ଜାରି ରହିବ। ୨୪ ତାରିଖବେଳକୁ ମିଆଁମାର ଉପକୂଳ ପାଖରେ ଏକ ଘୂର୍ଣ୍ଣିବଳୟସୃଷ୍ଟି ହୋଇପାରେ । ଏହା ୨୫ ତାରିଖରେ ଲଘୁଚାପରେ ପରିଣତ ହେବା ସହ ଆସନ୍ତା ୨୬ ତାରିଖବେଳକୁ ଓଡ଼ିଶାର ଭଦ୍ରକ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ୨୫ରେ ଅଳ୍ପ ବର୍ଷା ହେବ। ହେଲେ ୨୬ରେ ଉପକୂଳ ଓଡ଼ିଶାରେ ବର୍ଷିବ । ବେଶି ବର୍ଷା ହେବ ଉତ୍ତର ଉପକୂଳ ଓଡ଼ିଶାରେ । ପାଶ୍ୱର୍ବର୍ତ୍ତୀ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ୨୭ରେ ବର୍ଷା ଲାଗି ରହିବ।

ସେହିପରି ୨୬ ତାରିଖବେଳକୁ ମିଆଁମାର ପଟୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୭ରେ ଲଘୁଚାପ ରୂପ ନେଇପାରେ । ୨୮ରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ଅଧିକ ଘନୀଭୂତ ହେବା ସମ୍ଭାବନା କମ୍‌ । ଯଦି ବି ଅଧିକ ଘନୀଭୂତ ହେବ, ଏହା ଭୀଷଣ ଅବପାତ ପର୍ଯ୍ୟନ୍ତ ଯାଇପାରେ । ସେପ୍ଟେମ୍ବରରେ କୌଣସି ବାତ୍ୟା ସମ୍ଭାବନା ନାହିଁ ।

ତେବେ ଏହି ଅବପାତର ପ୍ରଭାବ ଓଡ଼ିଶାରେ ୨୮ରୁ ପଡ଼ିବ । ୨୮, ୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ହେବ ରାଜ୍ୟରେ । ୨୮ରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଉପକୂଳରେ ବର୍ଷା ହେବ । ତା’ପରଠୁ ଆଭ୍ୟନ୍ତରୀଣରେ ବର୍ଷା ହେବ । ୩୦ ତାରିଖ ପଶ୍ଚିମ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇପାରେ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି ।  ଯଦି ଏହି ଆକଳନ ସତ ହୁଏ, ତେବେ ମହାନଦୀ ଓ ଏହାର ଶାଖା ନଦୀ ଉଛୁଳିବ । ଏହା ସହ ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ଓ ଜଳକାରେ ବନ୍ୟା ଆସିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.