୧୧ରେ ଆଉ ଏକ ଲଘୁଚାପ, ୧୪ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | September 09, 2021 IST

ଭୁବନେଶ୍ୱର, ୦୯|୦୯:  ଆସନ୍ତା ୧୦ ତାରିଖରେ ଉତ୍ତର ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଯାହା ୧୧ରେ ଲଘୁଚାପରେ ପରିଣତ ହେବ । ଏହା ୧୩ ରାତି ବା ୧୪ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ହୋଇ ପଶ୍ଚିମକୁ ଗତି କରିବ । ଯାହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଲଘୁଚାପ ୧୩ ତାରିଖ ରାତି କିମ୍ବା ୧୪ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ପଶ୍ଚିମକୁ ଗତି କରିବ । ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୧୦ରୁ ୧୪ ବର୍ଷା ହେବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ୧୧ରୁ ୧୩ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ ଆଭ୍ୟନ୍ତରୀଣ ଗଞ୍ଜାମରେ ସପ୍ତାହକ ଭିତରେ ସମୁଦାୟ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ବାଲେଶ୍ୱର ଓ ସମୁଦ୍ର ସଂଲଗ୍ନ ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ୧୪ ତାରିଖ ଭିତରେ ୯୦ ମିଲିମିଟର ଏବଂ ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ଜିଲ୍ଲାରେ ୬୦ରୁ ୭୦ ମିଲିମିଟର ବର୍ଷ।।ର ସମ୍ଭାବନା ଅଛି । ଉତ୍ତର ଆଭ୍ୟନ୍ତରୀଣରେ ସବୁଠାରୁ କମ ବର୍ଷା ହେବ । ଆନ୍ଧ୍ର, ତେଲଙ୍ଗାନା ଓ ଦକ୍ଷିଣ ଛତିଶଗଡ଼ରେ ଏକ ଲଘୁଚାପ ଦ୍ୱାରା ଅତି ପ୍ରବଳ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । କୃଷକମାନେ ବର୍ଷାର ଆକଳନ ହେତୁ ୧୦ରୁ ୧୪ ଭିତରେ ସାର ପ୍ରୟୋଗ ନକରିବାକୁ ପରାମର୍ଶ ଦେଇଛନ୍ତି । ୧୪ରୁ ୧୭ ମଧ୍ୟରେ ଅଣଧାନ ଫସଲ ଲଗାନ୍ତୁ ବୋଲି ସେ କହିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଗୁରୁବାର ରାଜ୍ୟରେ ଖରା ପାଗ ରହିବ । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ୧୧ରୁ ୧୪ ପ୍ରବଳ ବର୍ଷା ହେବ । ଏହା ଅବପାତରେ ପରିଣତ ହେଲେ ଅଧିକ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।

ଅପରପକ୍ଷେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଗୁରୁବାର ରାଜ୍ୟରେ ହାଲୁକା ବର୍ଷା ହେବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଲଘୁଚାପ ପାଇଁ ୧୧ରୁ ବର୍ଷା ବଢ଼ିବ ବୋଲି ସେ ଆକଳନ କରିଛନ୍ତି । ଲଘୁଚାପ ସ୍ପଷ୍ଟ ରୁପ ନେବା ପରେ ବିସ୍ତୃତ କହିହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.