ଲଘୁଚାପ ସମ୍ଭାବନା: ୨୮ରୁ ୩୦ ଯାଏଁ ବର୍ଷିବ, ଗଭୀର ସମୁଦ୍ରକୁ ନଯିବାପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Published By : Prameya-News7 Bureau | October 27, 2018 IST

ଭୁବନେଶ୍ବର୨୭|୧୦: ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ ମଧ୍ୟ ବଂଗୋପସାଗରରେ ଲଘୁଚାପର ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା କାଲି ଲଘୁଚାପର ରୂପ ନେବା ସମ୍ଭାବନା ରହିଥିବା ବେଳେ ବର୍ଷା ସମ୍ଭାବନା ମଧ୍ୟ ରହିଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଂଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ.ଆର.ବିଶାସ ସୂଚନା ଦେଇଛନ୍ତି । ବିଶେଷକରି ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ବର୍ଷାର ପରିମାଣ ଅଧିକା ରହିପାରେ । ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ହେବ । ୨୮ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଥିବାବେଳେ ୨୯ ଏବଂ ୩୦ ତାରିଖରେ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ପାଣିପାଗ ଶୁଖିଲା ରହିଥିଲା । ଦିନର ତାପମାତ୍ରା ମଧ୍ୟ ହ୍ରାସ ପାଇଥିବା ଭୁବନେଶ୍ବର ଆଂଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ମଧ୍ୟ ଲକ୍ଷୁଚାପ ଆଶଂକା ରହିଥିଲା ତେବେ ତାହା ଟଳିଯାଇଥିଲା । କିନ୍ତୁ କେନ୍ଦୁଝର, ଖୋର୍ଦ୍ଧା , ପୁରୀ ଆଦି କେତେକ ସ୍ଥାନରେ ବର୍ଷା ହୋଇଥିଲା । କେନ୍ଦୁଝରରେ ପ୍ରବଳ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତିତିଲି ବାତ୍ୟାର ଭୟ ଏ ଯାଏଁ ଯାଇନଥିବାବେଳେ ପୁଣି ଲଘୁଚାପ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସ୍ବଭାବିକ । ତେବେ ଏହି ଲଘୁଚାପ ପାଇଁ ବିଶେଷ ଭୟଭୀତ ହେବାର କିଛି ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.