ଲଘୁଚାପ ବର୍ଷାରେ ଫସଲ କ୍ଷତିଗ୍ରସ୍ତ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

Published By : Prameya-News7 Bureau | November 14, 2021 IST

ନୟାଗଡ, ୧୪|୧୧:  ପ୍ରଥମେ ମରୁଡି ଆଉ ଏବେ ଲଘୁଚାପ ବର୍ଷା । ଚାଷୀର ବର୍ଷଯାକର ପରିଶ୍ରମକୁ ଉଜାଡିଦେବାକୁ ବସିଛି ଏହି ବର୍ଷା । ମରୁଡି ସମୟରେ ଧାରଉଧାର କରି ପାଣି ମଡାଇ ଧାନକୁ କିଛିଟା ରକ୍ଷା କରିଥିଲା ଚାଷୀ । ବିଲରେ ଧାନ କଟା ସରିଥିଲା । ଏପଟେ ବାଡିରେ ଖଳା ସଜଡା ସରିଥିଲା । ହେଲେ ଧାନ ବୋହିବା ବେଳକୁ ବର୍ଷା ଦାଉ ସାଜିଛି । ଗତ ତିନିଦିନ ହେଲା ଲଘୁଚାପ ବର୍ଷାରେ ବିଲରେ ପାଣି ରହି ଧାନ ଗଜା ହେଲାଣି ।  ଚାଷୀ ବିଲରେ ପାଣିରେ ବୁଡି ରହିଥିବା ଧାନକୁ ଛାଣି ହୁଡାରେ ରଖିବାକୁ ଚେଷ୍ଟା କରୁଛି । କେହି କେହି ବିଲରୁ ପାଣି ଛଡାଇବାପାଇଁ ନାଳ କରିବାରେ ଲାଗିଛନ୍ତି । ସେପଟେ ବର୍ଷା ଛାଡିବାର ନାଁ ଧରୁନି । ପୁଣି ଏକ ଲଘୁଚାପ ଆସୁଥିବା ଶୁଣିବା ପରେ ଚାଷୀକୂଳ ଚିନ୍ତାରେ ପଡି ଯାଇଛନ୍ତି ।

କେବଳ ଧାନଚାଷ ନୁହେଁ ପନିପରିବା  ମଧ୍ୟ ନଷ୍ଟ ହୋଇଗଲାଣି । ବଜାରରେ ପନିପରିବା ଦର ଅଧିକା ରହିଥିବାରୁ ଚାଷୀ କିଛିଟା ଲାଭ ପାଇବାକୁ ଆଶା ରଖିଥିବାବେଳେ ବର୍ଷା ଯୋଗୁ  ପରିବାରେ ପୋକ ଲାଗିବା ସହ କୋବି,ଲଙ୍କା, ବାଇଗଣ ଆଦି ପରିବାକଷିରୁ ପଚିଗଲାଣି । ବୋଝ ବୋଝ ଫୁଲ କୋବି ବିଲରେ ପଚିଯିବାରୁ ଚାଷୀ ବାହାରେ ଫୋପାଡି ଦେଉଥିବା ଦେଖିବାକୁ ମିଳିଛି । ଧାର ଉଦ୍ଧାର କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।  କିପରି ଋଣ ଶୁଝିବ ସେହି ଚିନ୍ତାରେ ପଡିଛି ଚାଷୀ । ସରକାରୀ ସାହାଯ୍ୟ କିମ୍ବା ଋଣ ଛାଡ ପାଇଁ କ୍ଷତିଗ୍ରସ୍ତ ଚାଷୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଲଘୁଚାପ ଯୋଗୁ ଗତ ଦୁଇଦିନ ହେଲା ନୟାଗଡ ଜିଲ୍ଲାରେ ବର୍ଷା ଲାଗି ରହିଥିବାବେଳେ ଶନିବାର ଜିଲ୍ଲାରେ ୬୨ମିମିରୁ ଅଧିକା ବର୍ଷା ହୋଇଛି । ଖଣ୍ଡପଡାରେ ସର୍ବାଧିକ ୯୧ମିମି ବର୍ଷା ହୋଇଥିବାବେଳେ ନୟାଗଡ ବ୍ଲକ୍‌ରେ ୮୫ମିମି. ବର୍ଷା ହୋଇଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.