ବର୍ଷାରେ ଉବୁଟୁବୁ ଆର୍ଥିକ ମହାନଗର, ପ୍ଲେନ୍, ଟ୍ରେନ୍ ଓ ବସ୍ ସେବା ଠପ୍, ପହଞ୍ଚିଲେ ଏନଡିଆରଏଫ

Published By : Prameya-News7 Bureau | July 16, 2021 IST

ମୁମ୍ବାଇ ୧୬।୭: ଆର୍ଥିକ ରାଜଧାନୀ ମୁମ୍ବାଇରେ ଗୁରୁବାର ଅପରାହ୍ନରୁ ଆରମ୍ଭ ହୋଇଥିବା ବର୍ଷା ଶୁକ୍ରବାର ମଧ୍ୟ ଜାରି ରହିଛି। ଫଳରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ମୁଶଳଧାରା ବର୍ଷା ଯୋଗୁ ବିମାନ ଚଳାଚଳ ବାତିଲ ହୋଇଥିବା ବେଳେ ଟ୍ରେନ ଲାଇନରେ ପାଣି ଭରିବା ଯୋଗୁ ଲୋକାଲ ଟ୍ରେନ୍‌ ଚଳାଚଳ ବିଲମ୍ବିତ ହୋଇଛି। ସେହିପରି ରାସ୍ତାରେ ପାଣି ଛିଡା ହୋଇ ରହିବା ଯୋଗୁ କେତେକ ସ୍ଥାନରେ ବେଷ୍ଟ ବସ୍‌ ସେବା ମଧ୍ୟ ବାତିଲ କରାଯାଇଥିବା ଜଣାପଡିଛି।

{"id":481581,"width":838,"height":597,"sizeSlug":"large","linkDestination":"none"}

କେବଳ ମୁମ୍ବାଇ ନୁହେଁ ଠାଣେ ଓ ରାୟଗଡ ଜିଲ୍ଲା ଲାଗି ମଧ୍ୟ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛନ୍ତି। ମୁମ୍ବାଇରେ ଭୀଷଣ ବର୍ଷାନେଇ ପାଣିପାଗ ବିଭାଗଙ୍କ ସୂଚନା ପରେ ଠାଣେରୁ ଏନଡିଆରଏଫର ୩ଟି ଟିମ୍‌କୁ ଡକାଇ ଅଣାଯାଇଛି। ମଧ୍ୟ ରେଳ ଜନ ସମ୍ପର୍କ ଅଧିକାରୀ ବର୍ଷା ଯୋଗୁ କରିଡୋର ଟ୍ରେନ ସବୁ ବିଳମ୍ବିତ ଚାଲୁଥିବା ସୂଚନା ଦେଇଛନ୍ତି। ପାଣି ଜମିବା ଯୋଗୁ ଇଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେ ସାଙ୍ଗକୁ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍‌ ୱେରେ ମଧ୍ୟ ବାହାନର ଲମ୍ବାଧାଡି ଲାଗିଛି।

{"id":481582,"width":839,"height":598,"sizeSlug":"large","linkDestination":"none"}

ଆଗାମୀ ୨୪ ଘଣ୍ଟାରେ କେତେକ ସ୍ଥାନରେ ମଧ୍ୟମରୁ ମୁଶଳଧାର ବର୍ଷା ଲାଗି ପାଣିପାଗ ବିଭାଗ ସତର୍କ କରିଛନ୍ତି। ଏଣୁ ବର୍ଷାରେ ମୁମ୍ବାଇ ଅବସ୍ଥା ଆହୁରି ବେହାଲ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସମୁଦ୍ର କୂଳକୁ ନଯିବା ଓ ପାଣି ଜମି ଥିବା ରାସ୍ତାରେ ଚଳାଚଳ ନ କରିବା ଲାଗି ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ଲୋକଙ୍କୁ ନିବେଦନ କରିଛନ୍ତି।

{"id":481583,"width":841,"height":600,"sizeSlug":"large","linkDestination":"none"}

କୁର୍ଲା-ବିଦ୍ୟାବିହାର ନିକଟରେ ମେଟ୍ରୋ ଟ୍ରେନ ବିଳମ୍ବିତ ଚାଲୁଛି। ଏଣୁ ସ୍ଲୋ ଲାଇନ ଟ୍ରାଫିକକୁ ଫାଷ୍ଟଲାଇନକୁ ଡାଇଭର୍ଟ କରାଯାଇଛି। ହାର୍ବର ଲାଇନରେ ମଧ୍ୟ ଟ୍ରେନ୍‌ ୨୦ରୁ ୨୫ ମିନିଟ୍‌ ବିଳମ୍ବରେ ଚାଲୁଛି। ତେବେ ଟ୍ରାନ୍ସ ହାର୍ବର ଲାଇନରେ ଟ୍ରେନ୍‌ ଚଳାଚଳ ସ୍ୱଭାବିକ ଥିବା ରେଳବାଇ ସିପିଆରଓ କହିଛନ୍ତି। ଗୁରୁବାର ଅପରାହ୍ନ ୪ଟାରୁ ବର୍ଷା ଆରମ୍ଭ ହୋଇଥିଲା।  ଶୁକ୍ରବାର ସକାଳ ୭ଟା ସୁଧା ମିରା ରୋଡରେ ୭୩ ମିଲିମିଟର ବର୍ଷା ହୋଇଥିବା ବେଳେ ଜୁହୁରେ ସର୍ବାଧିକ ୧୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମହାଲକ୍ଷ୍ମୀରେ୫୬.୫, ସାନ୍ତାକ୍ରୁଜରେ ୨୫.୧, ବନ୍ଦରରେ ୧୪୧, ଭୟନ୍ଦରରେ ୫୩ ଓ ଦହିସରରେ ୭୬.୫ ମିଲମିଟର ବର୍ଷା ରେକର୍ଡ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.