ଆହୁରି ୫ଦିନ ଲାଗି ରହିବ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | July 30, 2019 IST

ଭୁବନେଶ୍ବରରେ ୩୦|୭: ଲଘୁଚାପ ସାଙ୍ଗକୁ ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆହୁରି ୫ ଦିନ ଯାଏଁ ଏଭଳି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆହୁରି ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଲଘୁଚାପର ପ୍ରଭାବ ଏବଂ ମୌସୁମୀ ସକ୍ରିୟ ରହିଥିବା ଯୋଗୁଁ ଆସନ୍ତା ୫ ତାରିଖ ଯାଏଁ ରାଜ୍ୟର ପ୍ରାୟ ୨୧ ଟି ଜିଲ୍ଲାରେ ବର୍ଷା ଲାଗି ରହିବ । ଆଜି ସନ୍ଧ୍ୟା ଯାଏଁ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କଳାହାଣ୍ଡି, ନୂଆପଡା, ବରଗଡ, ବଲାଙ୍ଗିର, କନ୍ଧମାଳ ଏବଂ ସୋନପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସେହିଭଳି ଦକ୍ଷିଣ ଉପକୂଳ ଓଡିଶା ସମେତ ବୌଦ୍ଧ, ଦେବଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡରେ ବି ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାପରେ ୧ ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହେବ । ତେଣୁ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୩ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.