ଆଜି ୧୯ ଜିଲ୍ଲାରେ ଘଡଘଡି ସହ ବର୍ଷା ! ଆସନ୍ତା ୧୩ରୁ ପ୍ରବଳ ଛେଚିବ

Published By : Prameya-News7 Bureau | July 05, 2021 IST

ଭୁବନେଶ୍ୱର, ୦୫|୦୭: ସୋମବାର ରାଜ୍ୟର ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୭ ତାରିଖରୁ ବର୍ଷା ବଢ଼ିବ । ସେହିପରି ୧୨ରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୩ରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।

ସମୁଦ୍ର ପତ୍ତନରୁ ୧.୫ କିମି ଉପରେ ଏକ ଟ୍ରପ୍‌ ଲାଇନ୍‌ ଯାଇଛି । ଯାହା ଉତ୍ତର-ପୂର୍ବ ବିହାରରୁ ଦକ୍ଷିଣ ଓଡିଶା ଉପକୂଳ ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି । ଆସନ୍ତାକାଲି ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, ଢ଼େଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗବିତ୍‌ ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ସୋମବାର ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ୧୨ରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ବର୍ଷା ବଢ଼ିବ ବୋଲି ସେ ଆକଳନ କରିଛନ୍ତି । ତେବେ ଜୁନ୍‌ ୧ ତାରିଖରୁ ଜୁଲାଇ ୪ ତାରିଖ ସୁଦ୍ଧା ରାଜ୍ୟରେ ୨୦୯.୩୩ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ୨୫୩.୧ ମିଲିମିଟରୁ ୧୮ ପ୍ରତିଶତ କମ୍‌ ରହିଛି ।

ରବିବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ ଟିଟିଲାଗଡ଼ରେ ୫୪ ମିଲିମିଟର ବର୍ଷା ହୋଇଥିବା ବେଳେ ଛତ୍ରପୁରରେ ୩୩ ମିଲିମିଟର, କୋରାପୁଟ ଓ ଅନୁଗୁଳରେ ୨୪ ମିଲିମିଟର, ବଲାଙ୍ଗୀରରେ ୧୮ ମିଲିମିଟର, ସମ୍ବଲପୁରରେ ୧୪ ଓ ଚାନ୍ଦବାଲିରେ ୧୩ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

ସେହିପରି ଗତ ୨୪ ଘଣ୍ଟାମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ସର୍ବାଧିକ ୫୧ ମିଲିମିଟର ବର୍ଷା ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ୩୪ ମିଲିମିଟର, ଝାରସୁଗୁଡ଼ା ଜିଲ୍ଲା ଲାଇକେରାରେ ୨୯ ମିଲିମିଟର, କିରମରାରେ ୨୮ ମିଲିମିଟର ଓ ମୟୂରଭଞ୍ଜ ଜିଲ୍ଲା ବାଲିମୁଣ୍ଡଳିରେ ୨୪ ମିଲିମିଟର ବର୍ଷା ହୋଇଥିବା କେନ୍ଦ୍ର ରେକର୍ଡ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.