ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | October 18, 2021 IST

ଭୁବନେଶ୍ୱର,୧୮/୧୦: ସୋମବାର ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ସେହିପରି ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଆସନ୍ତା ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହେବ । ୨୦ରୁ ଧୀରେ ଧୀରେ ବର୍ଷା କମିବ । ବଙ୍ଗୋପସାଗରରେ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ରହିବ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ଏଥିସହ ୧୯ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରର ଗଭୀର ଜଳକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ଦୁଇଦିନ ରାଜ୍ୟରେ ପାଗ ମେଘୁଆ ରହିବ । ମୟୂରଭଞ୍ଜ, ବାଲେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବ । ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତା’ର ପ୍ରଭାବରେ ବର୍ଷା ହେବ । ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.