ଆସନ୍ତା ୧୨ରେ ଆଉ ଏକ ଲଘୁଚାପ, ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | July 03, 2021 IST

ଭୁବନେଶ୍ୱର, ୦୩|୦୭: ମୌସୁମୀ ଧୋକା ଓଡ଼ିଶାର ଚାଷୀ କୂଳକୁ ନିରାଶ କରିଛି । ଜୁନ୍‌ରେ ବର୍ଷା ନିଅଣ୍ଟିଆ ଥିବାବେଳେ ଜୁଲାଇରେ ରାଜ୍ୟରେ ବର୍ଷା ଅନିଶ୍ଚିତତା ରହିବା ସମ୍ଭାବନା ଅଛି । ବର୍ଷା ଅଭାବରୁ ଆଗେଇପାରୁନି ଚାଷ କାମ । ଗତ ୨୪ ଘଣ୍ଟା ଭିତରେ ବାଲେଶ୍ୱର, ବଲାଙ୍ଗିର, ମାଲକାନଗିରି, ବୌଦ୍ଧ, କନ୍ଧମାଳରେ ବର୍ଷା ହୋଇଥିବାବେଳେ ଶୁକ୍ରବାର ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାର କେତେକ ଅଞ୍ଚଳରେ ଅସରାଏ ଲେଖାଏଁ ବର୍ଷା ହୋଇଛି । ଏହା ସତ୍ତେ୍ୱ ଏବେ ବି ୧୪ ଜିଲ୍ଲାରେ ବର୍ଷା ଅଭାବ ରହିଛି । ଆଗାମୀ ୮/୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ବିସ୍ତୃତ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା କମ୍‌ । ଏଭଳି ସ୍ଥିତିରେ ଆଶ୍ୱସ୍ତି ଦେଖାଇଛି ପାଣିପାଗର ତାଜା ପୂର୍ବାନୁମାନ ।

ଜୁଲାଇ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ବର୍ଷା ବଢ଼ିପାରେ । ଆସନ୍ତା ୧୧ କିମ୍ବା ୧୨ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ଲଘୁଚାପ ହେଲେ ଓଡ଼ିଶାରେ ଭଲ ବର୍ଷା କରାଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନକରିଛନ୍ତି।ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞଙ୍କ କହିବାନୁଯାୟୀ ଗତ କିଛିଦିନ ଧରି ମୌସୁମୀ ଦୁର୍ବଳ ଥିବାବେଳେ ଶୁକ୍ରବାରଠାରୁ ସାମାନ୍ୟ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ଅସ୍ୱାଭାବିକ ଗରମ ସହ ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହିଥିବାରୁ ଗତ ୨୪ ଘଣ୍ଟା ଭିତରେଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା କରାଇଛି ।

ଶୁକ୍ରବାର ଭୁବନେଶ୍ୱରରେ ଘଡ଼ଘଡ଼ି ସହ ୪୪ ମିଲିମିଟର ବର୍ଷା ଢାଳିଛି । ନୟାଗଡ଼ରେ ୬୪ ମିମି ବର୍ଷା ହୋଇଥିବାବେଳେ କଟକ ସହର ଉପକଣ୍ଠ ଅଞ୍ଚଳରେ ବି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଖୋର୍ଦ୍ଧା ସହରରେ ବି ପ୍ରବଳ ବର୍ଷା ହୋଇଛି । ଏହାବାଦ୍‌ ଅନୁଗୁଳରେ ୨୮ ମିମି ବର୍ଷା ହୋଇଥିବାବେଳେ ବାରିପଦାରେ ୧୧.୬ ମିମି, ଭବାନୀପାଟଣାରେ ୨୨.୮ ମିମି, ଦାରିଙ୍ଗିବାଡ଼ିରେ ୧୪ ମିମି ବର୍ଷା ହୋଇଥିଲା । କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଶନିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବର୍ତ୍ତମାନ ଏଭଳି ବର୍ଷା ପ୍ରତିଦିନ କେତେକ ଜାଗାରେ ହୋଇପାରେ । ମାତ୍ର ବଡ଼ଧରଣର, ଲଗାଣ କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍‌ । ସମ୍ଭାବ୍ୟ ଲଘୁଚାପ ହେଲେ ହିଁ ରାଜ୍ୟରେ ବର୍ଷା ବଢ଼ିବା ସମ୍ଭାବନା ଅଛି ।

ପାଣିପାଗ ବିଭାଗର ତଥ୍ୟ କହୁଛି, ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୧୯୩.୭ ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକଠାରୁ ୧୮% କମ୍‌ । ଭଦ୍ରକରେ ସବୁଠୁ କମ୍‌ ରହିଛି ବର୍ଷା । ଏଠାରେ ସ୍ୱାଭାବିକଠାରୁ ୫୪% ନିଅଣ୍ଟିଆ ବର୍ଷା ହୋଇଛି । ଗଜପତିରେ ସ୍ୱାଭାବିକଠାରୁ ୪୯% କମ୍‌ ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ୪୪%, ଯାଜପୁରରେ ୪୩%, ଗଞ୍ଜାମରେ ୪୨%, ବଲାଙ୍ଗିରରେ ୩୯%, ବୌଦ୍ଧରେ ୩୯%, କନ୍ଧମାଳରେ ୩୬% ଓ ଅନୁଗୁଳରେ ୩୫% ବର୍ଷା ଅଭାବ ରହିଛି ।

ଏହାବାଦ୍‌ କଳାହାଣ୍ଡି, ରାୟଗଡ଼ା, ନୟାଗଡ଼, ଦେବଗଡ଼, ମୟୂରଭଞ୍ଜରେ ବର୍ଷା ପରିମାଣ କମ୍‌ ଅଛି । ପୁରୀ, କୋରାପୁଟ, କେନ୍ଦ୍ରାପଡ଼ାରେ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିଛି । କୌଣସି ଜିଲ୍ଲାରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ହୋଇନାହିଁ । ୧୩ଟି ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି । ବର୍ଷା ନ ବଢ଼ିଲେ ସ୍ୱାଭାବିକ ତାଲିକାରେ ଥିବା ନବରଙ୍ଗପୁର, ସମ୍ବଲପୁର, ବାଲେଶ୍ୱର, ଢେଙ୍କାନାଳ ଜିଲ୍ଲା ମଧ୍ୟ ବର୍ଷା ଅଭାବ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.