କରୋନା ସଙ୍କଟରେ ଅକ୍ସିଜେନ୍ ପହଞ୍ଚାଇବା ପାଇଁ 'ଅକ୍ସିଜେନ୍ ଏକ୍ସପ୍ରେସ୍' ଚଲାଇବ ରେଲଓ୍ଵେ, ଓଡିଶାର ଏହି ସହର ସାମିଲ୍

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮।୦୪: ଦେଶରେ କରୋନା ମାମଲା ପ୍ରତି ଦିନ ରେକର୍ଡ ଭାଙ୍ଗୁଛି। ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହା ମଧ୍ୟରେ ଦେଶର ଅନେକ ରାଜ୍ୟରେ ଅକ୍ସିଜେନ୍‌ର ଘୋର ଅଭାବ ଖବର ସାମ୍ନାକୁ ଆସୁଛି। ଗତକାଲି ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରାଇବା ସହ ବେଡ୍ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରେଲଓ୍ଵେ ଲିକ୍ଵିଡ୍ ମେଡିକାଲ ଅକ୍ସିଜେନ୍(ଏଲଏମଓ) ଓ ଅକ୍ସିଜେନ୍ ଏକ୍ସପ୍ରେସ୍ ଚଳାଇବାକୁ ଯୋଜନା କରିଛି। ଏଥିରେ ଅକ୍ସିଜେନ ଯୋଗାଣ ହେବ। ଏହି ଟ୍ରେନଗୁଡିକର ଅବାଧ ଯାତାୟତ ପାଇଁ ଗ୍ରୀନ କରିଡର କରାଯାଉଛି। ରବିବାର ରେଲଓ୍ଵେ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ରେଲଓ୍ଵେ ଅନୁଯାୟୀ, ଟେକ୍ନିକାଲ ଟ୍ରାଏଲ ପରେ ଖାଲି ଟ୍ୟାଙ୍କରକୁ କଲମବୋଲି/ବୋଇସରରୁ ମୁମ୍ବାଇ ପଠାଯିବ। ସେଠାରୁ ଭାଇଜାଗ ଜାମସେଦପୁର/ରାଉରକେଲା/ବୋକାରୋ ପଠାଯିବ। ଏଥିରେ ଲିକ୍ଵିଡ୍ ମେଡିକାଲ ଅକ୍ସିଜେନ ଭରାଯାଇ ଦେଶର କରୋନା ପ୍ରଭାବିତ ଅଞ୍ଚଳରେ ପହଞ୍ଚାଯିବ। କରୋନାରେ ଗୁରୁତର ରୋଗୀଙ୍କ ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଉଲ୍ଲେଖନୀୟ ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ସରକାର ରେଲଓ୍ଵେକୁ ଏହା ଜଣାଇବାକୁ ଅନୁରୋଧ କରିଥିଲେ ଯେ, କଣ ରେଲଓ୍ଵେ ଲିକ୍ଵିଡ ମେଡିକାଲ ଅକ୍ସିଜେନ୍ ଟ୍ୟାଙ୍କର ପରିବହନ କରି ପାରିବ।

ଅକ୍ସିଜେନ୍‌ର କମର୍ସିଆଲ ଓ ଫ୍ରେଟ୍ ପେମେଣ୍ଟ ପାଇଁ ରେଳ ମନ୍ତ୍ରଣାଳୟ ଏପ୍ରିଲ ୧୬ରେ ଏକ ସର୍କୁଲାର ଜାରି କରିଛି। ଏହି ସଂପର୍କରେ ଏପ୍ରିଲ ୧୭ରେ ରେଲଓ୍ଵେ ବୋର୍ଡର ଅଧିକାରୀ ଓ ରାଜ୍ୟ ପରିବହନ ଆୟୋଗ ଓ ଇଣ୍ଡଷ୍ଟ୍ରୀର ପ୍ରତିନିଧିଙ୍କୁ ନେଇ ବୈଠକ ହୋଇଥିଲା। ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଟ୍ୟାଙ୍କରର ବ୍ୟବସ୍ଥା ମହାରାଷ୍ଟ୍ରର ପରିବହନ ଆୟୋଗ କରିବେ। ରବିବାର ପଶ୍ଚିମ ରେଲଓ୍ଵେର ବୋଇସରରେ ଏହାର ଟ୍ରାଏଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.