କରୋନା ମାଡରେ ବେହାଲ ରେଲଓ୍ଵେ: ସ୍ଥିତି ହେଲାଣି ଶୋଚନୀୟ, ପେନସନ ଦେବାକୁ ବି ପଇସା ନାହିଁ

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫।୦୬: କରୋନା ପ୍ରକୋପର ମାଡ ସବୁ କ୍ଷେତ୍ର ଉପରେ ପଡିଛି। କରୋନାକାଳରେ ରେଳ ଗାଡି କଣ ବନ୍ଦ ହୋଇଛି, ରେଲଓ୍ଵେର ଅବସ୍ଥା ଶୋଚନୀୟ ହୋଇ ଗଲାଣି। ସ୍ଥିତି ଏମିତି ପୂର୍ବତନ କର୍ମଚାରୀ ଓ ଅଧିକାରୀଙ୍କୁ ପେନସନ ଦେବାକୁ ରେଲଓ୍ଵେ ପାଖରେ ପଇସା ନାହିଁ। ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ ରେଳ ମନ୍ତ୍ରଣାଳୟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖି ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି, ଯଦ୍ଵାରା ଚଳିତ ଆର୍ଥିକ ବର୍ଷରେ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଦିଆଯାଇ ପାରିବ।

ଚଳିତ ବର୍ଷ ଦରକାର ୫୩ ହଜାର କୋଟି

ଉକ୍ତ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରେଲଓ୍ଵେ  ଅଧିନରେ ସଂପ୍ରତି ପ୍ରାୟ ୧୩ ଲକ୍ଷ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ହେଲେ ପେନସନଭୋଗୀଙ୍କ ସଂଖ୍ୟା ମିଶାଇ ଏହା ୧୫ ଲକ୍ଷ ହେଉଛି। ରେଲଓ୍ଵେ ସଂପୂର୍ଣ୍ଣ ସରକାରୀ ହୋଇଥିଲେ ମଧ୍ୟ ନିଜର ପାଣ୍ଠିରୁ ହିଁ ପେନସନ ଦେବାକୁ ପଡିଥାଏ। ତେଣୁ ୨୦୨୦-୨୧ ଆର୍ଥିକ ବର୍ଷରେ ପେନସନ ବାବଦରେ ମୋଟ୍ ୫୩୦୦୦ କୋଟି ଟଙ୍କା ଦରକାର। ରେଲଓ୍ଵେ ଚଳିତ ଆର୍ଥିକ ବର୍ଷରେ ଏହି ବୋଝକୁ ଉଠାଇବା ପାଇଁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଛି।

ହ୍ରାସ ପାଇଲା ଆୟ

ଯେବେଠୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କରୋନା ଭାଇରସ୍‌ର ପ୍ରକୋପ ପଡିଛି, ତେବେଠୁ  ଦେଶରେ ରେଳ ସେବା ଠପ୍  ହୋଇ ପଡିଛି। କିଛି ସ୍ଵତନ୍ତ୍ର ଟ୍ରେନ୍‌ ଓ ମାଲଗାଡିର ଚଳାଚଳ ଜାରି ରହିଛି। ମାତ୍ର ସେଥିରୁ ଆୟ ସେତେଟା ହେଉ ନାହିଁ, ଯେମିତି ପୂର୍ବେ ହେଉଥିଲା। ଯଦି ସ୍ଥିତି ଏମିତି ଦୀର୍ଘ ଦିନ ଜାରି ରହେ ତେବେ କର୍ମଚାରୀଙ୍କୁ ସଠିକ୍ ସମୟରେ ବେତନ ଦେବା ମଧ୍ୟ ସକ୍ଷମ ହୋଇ ପାରିବ ନାହିଁ।

ରେଲଓ୍ଵେର ଆର୍ଥିକ ସ୍ଥିତି ନିମ୍ନଗାମୀ ହେବାରେ ଲାଗିଛି। ଏଥିପାଇଁ ଉଚ୍ଚସ୍ତରୀୟ ବୈଠକରେ ଏହାର ସଙ୍କେତ ମଧ୍ୟ ଦିଆଗଲାଣି। କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ଵାରା ନିକଟରେ ଢାଞ୍ଚାଗତ ଭିତ୍ତିଭୂମି ସମ୍ବନ୍ଧିତ ପ୍ରକଳ୍ପର ସମୀକ୍ଷା ପାଇଁ ଆହୂତ ବୈଠକରେ ରେଲଓ୍ଵେ ନିଜର ଆର୍ଥିକ ସ୍ଥିତି ବିଷୟରେ ରେଖାଙ୍କିତ କରିଛି।

ଯଦି ରେଲଓ୍ଵେର ଅବସ୍ଥା ଏତେ ଶୋଚନୀୟ ହୋଇ ପଡିଥିବା ଖବର ସତ୍ୟ ତେବେ ଏହା ବଡ ସମସ୍ୟାର କାରଣ ପାଲଟିପାରେ। କେନ୍ଦ୍ର ସରକାର ରାଷ୍ଟ୍ରୀୟ ଅବସରଞ୍ଚନା ପାଇପଲାଇନ୍‌(ଏନଆଇପି) ଆଧାରରେ ୨୦୨୪ ସୁଦ୍ଧା ୧୦୨ ଲକ୍ଷ କୋଟି ଟଙ୍କା ନିବେଶ କରିବାର ଯୋଜନା ରଖିଛନ୍ତି। ଏଥିରେ ରେଲଓ୍ଵେ ପ୍ରମୁଖ ଭାଗିଦାରୀ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.