ଟ୍ରାକ୍‌କୁ ଫେରିବ ପାସେଞ୍ଜର ଟ୍ରେନ୍‌ : ୧୫ସହର ପାଇଁ ୧୫ ଯୋଡ଼ା ଟ୍ରେନ୍‌ , ଆଜି ଅପରାହ୍ନରୁ ଆରମ୍ଭ ହେବ ଟିକେଟ ବୁକିଂ

Published By : Prameya-News7 Bureau | May 11, 2020 IST

ଭୁବନେଶ୍ୱର ୧୧।୦୫ : ଭାରତୀୟ ରେଳ ମନ୍ତ୍ରଣାଳୟ ଆସନ୍ତା ୧୨ ତାରିଖରୁ ଆରମ୍ଭ କରିବ ଯାତ୍ରୀବାହୀ ଟ୍ରେନ୍‌ । ଲକ୍‌ ଡାଉନ୍‌ ପାଇଁ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ହୋଇଥିଲା । ତେବେ ୫୧ ଦିନ ପରେ ପ୍ରାଥମିକ ଭାବେ ନୂଆଦିଲ୍ଲୀରୁ ଦେଶର ୧୫ଟି ସହରକୁ ୧୫ ଯୋଡ଼ା (୩୦ଟି) ସ୍ପେଶାଲ୍‌ ଟ୍ରେନ୍‌ ଚାଲିବ ବୋଲି ରେଳମନ୍ତ୍ରୀ ପିୟୁଷ ଗୋଏଲ୍‌ ସୂଚନା ଦେଇଛନ୍ତି । ଭୁବନେଶ୍ୱର ସମେତ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ସିକନ୍ଦରାବାଦ, ବାଙ୍ଗାଲୁରୁ, ଚେନ୍ନାଇ, ତିରୁବନ୍ତପୁରମ୍‌, ମାଡଗାଓଁ(ଗୋଆ), ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଓ ଜମ୍ମୁ ତାୱିକୁ ନୂଆଦିଲ୍ଲୀରୁ ପ୍ରତିଦିନ ଯାତ୍ରୀବାହୀ ସ୍ୱତନ୍ତ୍ର ଟ୍ରେନ୍‌ ଗଡ଼ିବ । ଦୈନିକ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଓ ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ଟ୍ରେନ୍‌ ଚାଲିବ ବୋଲି ଜଣାପଡ଼ିଛି ।

ଉପରୋକ୍ତ ସ୍ଥାନଗୁଡିକରୁ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍‌ରେ ଯିବା ପାଇଁ ୧୧ ତାରିଖ ଅପରାହ୍ନ ୪ଟାରୁ ସିଟ୍‌ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ । କେବଳ ଆଇଆରସିଟିସି ୱେବସାଇଟ୍‌ www.irctc.co.inରେ ସିଟ୍‌ ସଂରକ୍ଷଣ କରିହେବ ବୋଲି ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ରେଳ ଷ୍ଟେସନ୍‌ଗୁଡ଼ିକରେ ଥିବା ଟିକେଟ୍‌ ବୁକିଂ କାଉଣ୍ଟର୍‌ ବନ୍ଦ ରହିବ । ପ୍ଲାଟଫର୍ମ ଟିକେଟ୍‌ ସମେତ ଅନ୍ୟ କୌଣସି କାଉଣ୍ଟର୍‌ ଟିକେଟ୍‌ ଦିଆଯିବ ନାହିଁ । ଯାତ୍ରୀମାନେ କେବଳ ବୈଧ ନିଶ୍ଚିତ (ଭେଲିଡ୍‌ କନଫରମଡ୍‌) ଟିକେଟ୍‌ ନେଇ ଷ୍ଟେସନକୁ ପଶିପାରିବେ । ଯାତ୍ରା ସମୟରେ ଯାତ୍ରୀମାନେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଟ୍ରେନ୍‌ ଛାଡ଼ିବା ପୂର୍ବରୁ ସ୍କ୍ରିନିଂ ହେବା ଆବଶ୍ୟକ । ଯେଉଁମାନଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିବ, ସେହିମାନେ ଟ୍ରେନରେ ଯାତ୍ରା କରିପାରିବେ । ପରେ ମନ୍ତ୍ରଣାଳୟ ପକ୍ଷରୁ ଟ୍ରେନ ଗୁଡିକର ଛାଡିବା ନେଇ ନିର୍ଦ୍ଧାରିତ ସୂଚୀ ଜାରି ହେବ ।

ଭାରତୀୟ ରେଳ ମନ୍ତ୍ରଣାଳୟ ଧୀରେ ଧୀରେ ବିଭିନ୍ନ ରୁଟ୍‌ରେ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍‌ ସେବା ଆରମ୍ଭ କରିବ । ତେବେ ଅଧିକ ସଂଖ୍ୟକ କୋଚ୍‌ ମିଳିବା ପରେ ଆରମ୍ଭ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ୨୦ ହଜାର କୋଚ୍‌ କୋଭିଡ୍‌-୧୯ କେଆର୍‌ ସେଣ୍ଟର୍‌ ହୋଇଛି । ସେହିପରି ୩ଶହ ଟ୍ରେନ୍‌ ପ୍ରତିଦିନ ‘ଶ୍ରମିକ୍‌ ସ୍ପେଶାଲ୍‌’ ଭାବେ ଯାତାୟାତ କରୁଛି । ଯାହା ପ୍ରବାସୀ ଶ୍ରମିକମାନଙ୍କୁ ନେଇ ବିଭିନ୍ନ ରାଜ୍ୟକୁ ଯାଉଛି । ତେଣୁ ସେହି କୋଚ୍‌ଗୁଡିକ ଫେରିଲେ ଅଧିକ ସଂଖ୍ୟକ ଟ୍ରେନ୍‌ ଚାଲିପାରିବ ବୋଳି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.