ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍, ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍

Published By : Prameya-News7 Bureau | March 05, 2021 IST

ନୂଆଦିଲ୍ଲୀ,୦୫|୦୩:  ମହଙ୍ଗା ମାଡରୁ ବର୍ତ୍ତି ପାରି ନାହାଁନ୍ତି ଟ୍ରେନ୍ ଯାତ୍ରୀ । ଭାରତୀୟ ରେଳବାଇ ଏବେ ପ୍ଲାଟଫର୍ମ ଟିକେଟର ଦାମ୍ ବୃଦ୍ଧି କରିଛି । କରୋନା ପାଇଁ ଗତ ଦୀର୍ଘ ଦିନ ଧରି ପ୍ଲାଟଫର୍ମ ଟିକେଟ୍ ସେବା ବନ୍ଦ ରହିଥିଲା । ଏହାକୁ ପୁଣିଥରେ ଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଆରମ୍ଭ କରାଯାଇଛି । ଗୁରୁବାର ରାତ୍ର ୧୨ଟାଠାରୁ ଏହି ସେବା ପୁଣି ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଏବେ ୩୦ ଟଙ୍କା ଦେବାକୁ ହେବ  ।

କରୋନା ମହାମାରୀ ପାଇଁ ସାରା ଦେଶରେ ସମସ୍ତ ଟ୍ରେନ୍ ସେବା ଏବେସୁଦ୍ଧା ଆରମ୍ଭ ହୋଇପାରି ନାହିଁ । ଏହା ମଧ୍ୟରେ ନିଜ ସମ୍ପର୍କୀୟଙ୍କୁ ଷ୍ଟେସନରେ ଛାଡିବାକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ପ୍ଲାଟଫର୍ମ ଟିକେଟକୁ ବାଧ୍ୟତାମୂଳକ କରାଯାଇଛି । ୨୦୨୦ରେ କରୋନା ମାମଲା ବଢିବା ପରେ ପ୍ଲାଟଫର୍ମ ଟିକେଟ ସେବାକୁ ବନ୍ଦ କରି ଦିଆଯାଇଥିଲା । କେବଳ ଟ୍ରେନ୍ ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳୁଥିଲା ।  କେବଳ ଦିଲ୍ଲୀ ନୁହେଁ ମୁମ୍ବାଇରେ ପ୍ଲାଟଫର୍ମ ଟିକେଟର ଦାମ୍ ଅହେତୁକ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ରେଳବାଇ ମୁମ୍ବାଇ ସହରର କିଛି ପ୍ରମୁଥ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ଦାମ୍ ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରିଥିଲା ।

ପ୍ଲାଟଫର୍ମ ଟିକେଟ୍ ସହ ରେଳବାଇ ଲୋକାଲ୍ ଟ୍ରେନ୍ ଭଡା ମଧ୍ୟ ବୃଦ୍ଧି କରିଛି । ଏବେ ଯାତ୍ରୀ ଲୋକାଲ ଟ୍ରେନରେ ମଧ୍ୟ ଏକ୍ସପ୍ରେସ ଟ୍ରେନ୍ ଭଳି ଭଡା ଦେବେ । ଉଦାହରଣସ୍ୱରୂପ ଯାତ୍ରୀଙ୍କୁ ଏଣିକି ୧୦ ଟଙ୍କା ବଦଳରେ ୩୦ ଟଙ୍କା ଦେବାକୁ ପଡିବ ।

ଯଦି ଆପଣ ଦିଲ୍ଲୀରୁ ଗାଜିଆବାଦ ଯାତ୍ରା କରୁଛନ୍ତି ତାହାଲେ ୧୦ ଟଙ୍କା ବଦଳରେ ୩୦ ଟଙ୍କା ଭଡା ଦେବେ । ଯାହାର ପ୍ରଭାବ ସିଦ୍ଧାସଳଖ ସାଧାରଣ ଲୋକଙ୍କ ଉପରେ ପଡିବ । ତେବେ ଭଡା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.