କାମରେ ଆସିଲା ରେଳବାଇଙ୍କ COVID Care କୋଚ୍ , ୫୯ ସଂକ୍ରମିତ ଭର୍ତ୍ତି

Published By : Prameya-News7 Bureau | June 22, 2020 IST

ଲକ୍ଷ୍ନୌ ୨୨।୬: ଦେଶରେ କରୋନା ଭାଇରସ୍ ମହାମାରୀ ସଂକ୍ରମଣ ଆରମ୍ଭ କାଳରେ ସରକାରଙ୍କ ସମାନ୍ତରାଳରେ ରେଳବାଇ ମଧ୍ୟ ନିଜ ଆଡୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଯାହା ଏବେ କୋଭିଡ-୧୯ ମୁକାବିଲା ଲାଗି କାମରେ ଆସିଛି। ଦେଶରେ କରୋନା ସଂକ୍ରମଣ ହେଲେ ହସ୍ପିଟାଲ ଅଭାବ ପଡିବ ବୋଲି ରେଳବାଇ ଜାଣିଥିଲେ। ଏଣୁ ବ୍ୟବହାରରେ ଆସୁ ନଥିବା ରେଳବଗିଗୁଡିକୁ ହସ୍ପିଟାଲ ୱାର୍ଡରେ ରୂପାନ୍ତରିତ କରିଥିଲେ। ଏହି ସବୁ ରେଳବଗୀକୁ ବିଭିନ୍ନ ରାଜ୍ୟରେ ରଖାଯାଇଥିବା ବେଳେ ଏବେ ଉତ୍ତର ପ୍ରଦେଶ ସରକାରଙ୍କ କାମରେ ଆସିଛି।

ଉତ୍ତରପ୍ରଦେଶ ମଉ ଷ୍ଟେସନରେ ରେଳବଗୀ ଆଇସୋଲେସନ ୱାର୍ଡ ଖୋଲିଥିବା ବେଳେ ଏଥିରେ ୫୯ ଜଣ ସନ୍ଦିଗ୍ଧ କୋଭିଡ-୧୯ ଆକ୍ରାନ୍ତଙ୍କୁ ଆଡମିଟ୍ କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୫୧ ଆକ୍ଟିଭ୍ କେସ ଚିକିତ୍ସାଧୀନ ଅଛନ୍ତି। ଗତ ୨୦ ତାରିଖରୁ ରେଳବାଇଙ୍କ ଆଇସୋଲେସନ ୱାର୍ଡ ଏଠାରେ କାର୍ଯ୍ୟକ୍ଷମ ହେଲାଣି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ୪୨ ଜଣ ସଂକ୍ରମିତଙ୍କୁ ଆଡମିଟ୍ କରାଯାଇଥିବା ବେଳେ ସୋମବାର ସେମାନଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି ବୋଲି ରେଳବାଇ ପକ୍ଷରୁ ସୂଚିତ କରାଯାଇଛି।

କେବଳ ଉତ୍ତରପ୍ରଦେଶ ନୁହେଁ ଜାତୀୟ ପରିବହନକର୍ତ୍ତା ଦିଲ୍ଲୀ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ୯୬୦ଟି କୋଭିଡ କେୟାର କୋଚ୍ ମୁତୟନ କରିଛନ୍ତି। ଏଥିରୁ ଉତ୍ତର ପ୍ରଦେଶର ୨୩ଟି ସ୍ଥାନରେ ୩୭୨ଟି କୋଭିଡ କେୟାର କୋଚ୍‌ ସେବା ଯୋଗାଇ ଦେଉଥିବା ବେଳେ ଅନ୍ୟ ସ୍ଥାନରେ ମଧ୍ୟ କୋଭିଡ୍ କୋଚ୍ ଏବେ କାମରେ ଆସୁଥିବାର ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.