ରେଳ ବିଭାଗର ଚକ୍ରାନ୍ତ ! ବେଙ୍ଗାଲୁରୁକୁ ସ୍ଥାନାନ୍ତର ହେବ ରେଳ ବିଦ୍ୟୁତକରଣ ଅଫିସ

Published By : Prameya-News7 Bureau | March 15, 2019 IST

ଭୁବନେଶ୍ବର ୧୫|୩ : ପ୍ରଥମେ ପୂର୍ବତଟ ରେଳବାଇ ଡିଭିଜନକୁ ଭାଗ କଲେ। ଏବେ ରେଳ ବିଦ୍ୟୁତିକରଣ ଅଫିସ ଭୁବନେଶ୍ବରରୁ ଯିବ । ଭୁବନେଶ୍ବରରୁ ରେଳ ବିଦ୍ୟୁତକରଣ ଅଫିସ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବା ନେଇ ରେଳ ମନ୍ତ୍ରାଳୟ ଚିଠି ଲେଖିଛି। ସାଧାରଣ ନିର୍ବାଚନ ନେଇ ସାରା ଦେଶରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ବେଳେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଏପରି ବୈମାତୃକ ନିଷ୍ପତ୍ତି ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରେଳ ବୋର୍ଡ଼ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୁପିନ୍ଦର ସିଂହ ବୋଧ ଗତ ୧୩ ତାରିଖରେ ଆହ୍ଲାବାଦରେ ଅବସ୍ଥିତ କେନ୍ଦ୍ରୀୟ ରେଳ ବିଦ୍ୟୁତକରଣ ଅଫିସ ମୁଖ୍ୟାଳୟର ଜେନେରାଲ ମ୍ୟାନେଜରଙ୍କୁ ଭୁବନେଶ୍ବରରୁ ବିଦ୍ୟୁତକରଣ ଅଫିସ ସ୍ଥାନାନ୍ତର କରିବା ନେଇ ଚିଠି ଲେଖିଛନ୍ତି। ଅଫିସ ସ୍ଥାନାନ୍ତର ନେଇ ପୂର୍ବତଟ ରେଳବାଇ କହିଛି, ଓଡ଼ିଶାରେ ରେଳ ବିଭାଗର ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇଛି। ଏବେ ବେଙ୍ଗାଲରୁରେ ବିଦ୍ୟୁତକରଣ କାମ ପାଇଁ ବିଦ୍ୟୁତକରଣ ଅଫିସର କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏତେ ଦୂର ଯାଇ କର୍ମଚାରୀ କାମ କରିବା ଅସମ୍ଭବ ହେବାରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଯେହେତୁ ବିଦ୍ୟୁତକରଣ ଅଫିସଟି ଭୁବନେଶ୍ବରରେ ସ୍ଥାୟୀ ଅଫିସ ଭାବେ କାର୍ଯ୍ୟକରୁନଥିଲା, ସେଥିପାଇଁ ଓଡ଼ିଶାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସ୍ଥାନାନ୍ତର କରାଯାଉଛି। ଏଥିରେ ଓଡ଼ିଶାର କିଛି ବି କ୍ଷତି ହେବାର ନାହିଁ। ସାରାଦେଶରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହି ସମୟରେ ଅଫିସ ସ୍ଥାନାନ୍ତର ନେଇ ଚିଠି ଲେଖିବା ନେଇ ଉଠିଛି ପ୍ରଶ୍ନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.