ରେଳବାଇର ହେବନି ଘରୋଇକରଣ,ମନ୍ତ୍ରୀ କହିଲେ କେବଳ କିଛି ସେବା ଆଉଟ୍ ସୋର୍ସିଂ କରାଯାଇଛି
22/11/2019 at 9:13 PM

ନୂଆଦିଲ୍ଲୀ : ରେଳବାଇର ଘରୋଇକରଣ ହେବନି। ଶୁକ୍ରବାର ସଂସଦ ଶୀତକାଳୀନ ଅଧିବେଶନର ପଞ୍ଚମ ଦିନରେ କେନ୍ଦ୍ର ସରକାର ଉଚ୍ଚସଦନକୁ ଏହି ସୂଚନା ଦେଇଛନ୍ତି। ରେଳବାଇର କିଛି ସେବା ଏବେ ଆଉଟ ସୋର୍ସିଂ କରାଯାଛି ବୋଲି ଗୃହର ପ୍ରଶ୍ନକାଳରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି। ତେବେ ଏହା ଘରୋଇ ଘରୋଇକରଣ ନୁହେଁ ବୋଲି ସେ କହିଛନ୍ତି । ପ୍ରଶ୍ନକାଳରେ ଗୋୟଲ କହିଛନ୍ତି ଯେ ଏକ ଅନୁମାନଅନୁସାରେ ଆଗାମୀ ୧୨ ବର୍ଷ ପର୍ଯ୍ୟନ୍ତ ରେଳବାଇର ସୁଚାରୁ ସଞ୍ଚାଳନ ନିମନ୍ତେ ଅନୁନ୍ୟ ୫୦ଲକ୍ଷ କୋଟି ଟଙ୍କାର ଆବଶ୍ୟକତା ପଡିବ । ତେବେ ଏହି ବିପୁଳ ବ୍ୟୟଭାର ବହନ କରିବା ଭାରତ ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ । ଏଣୁ ସରକାର ଆଉଟ୍ ସୋର୍ସିଂ କରୁଛନ୍ତି ବୋଲି କହିଛନ୍ତି।

ରେଳବାଇରେ ନୂଆନୂଆ ସୁବିଧା ଓ ସେବା ଲାଗି ନିୟମିତ ଦାବି ହେଉଛି। ଏଣୁ ବ୍ୟାପକ ବ୍ୟୟ ଉପରେ ନୂଆ ନୂଆ ଦାବି ରେଳବାଇ ନିମନ୍ତେ ଆହ୍ୱାନ ସୃଷ୍ଟି କରିଛି। ସେହିପରି ରେଳବାଇ ଉପରେ ଯାତ୍ରୀଙ୍କର ବଢୁଥିବା ଚାପର ମୁକାବିଲା ଲାଗି ନୂଆ ନୂଆ ଟ୍ରେନ ଚଳାଇବା ଜରୁରୀ ହୋଇପଡିଛି। ତେବେ ଏଥିଲାଗି ନିବେଶ ଆବଶ୍ୟକ। ଏଣୁ ସରକାରଙ୍କ ନେତୃତ୍ୱରେ ଯଦି କେହି ନିବେଶ ଲାଗି ଆଗ୍ରହୀ ହେଉଛନ୍ତି ଏଥିରେ ଭୁଲ କଣ ବୋଲି ରେଳମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ରେଳବାଇଙ୍କ ମାଲିକାନା ସରକାରଙ୍କ ହାତରେ ରହିଛି ଓ ରହିବ। କେହି ରେଳବାଇରେ ଯଦି ନିବେଶ କରେ ତେବେ ଏହାକୁ ଘରୋଇକରଣ କୁହାଯାଇପାରିବନି ବୋଲି ଗୋୟଲ କହିଛନ୍ତି।

ଆମେ ଏବେ କେବଳ କମର୍ସିଆଲ ଓ ଅନବୋର୍ଡ ସର୍ଭିସ ଲାଗି ଆଉଟ୍ ସୋର୍ସିଂ କରୁଛୁ। ଏଣୁ ଏଥିଯୋଗୁ ରେଳବାଇ କର୍ମଚାରୀଙ୍କ ଉପରେ ମଧ୍ୟ କୌଣସି ପ୍ରଭାବ ପଡୁ ନାହିଁ ବୋଲି କେନ୍ଦ୍ର ରେଳବାଇ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡୀ କହିଛନ୍ତି। ଏହା ଛଡା ରେଳବାଇ ସହ ଘରୋଇ କ୍ଷେତ୍ର ଜଡିତ ହେବା ଯୋଗୁ ରୋଜଗାରର ଅପାର ସୁଯୋଗ ସୃଷ୍ଟି ହୋଇଥିବା କହିଛନ୍ତି ଅଙ୍ଗାଡୀ।