ମାର୍ଚ୍ଚ ୩୧ ଯାଏଁ ଦେଶରେ ରେଳ ଚଳାଚଳ ବନ୍ଦ

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨।୩: ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଦେଶରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ । କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବାକୁ ଭାରତୀୟ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ରେଳମନ୍ତ୍ରଣାଳୟ ପକ୍ଷରୁ ଏନେଇ ରବିବାର ବିଜ୍ଞପ୍ତି ଜାରି ହୋଇଛି ।

ବିଜ୍ଞପ୍ତି ଅନୁସାରେ ସମସ୍ତ ମେଲ୍, ଏକ୍ସପ୍ରେସ, ଇଣ୍ଟରସିଟି ଟ୍ରେନ୍, ସବୁ ପାସେଞ୍ଜର ଟ୍ରେନ୍ ୩୧ ମାର୍ଚ୍ଚ ରାତି ୧୨ଟା ପର୍ଯ୍ୟନ୍ତ ଚଳାଚଳ କରିବନାହିଁ ।

ଏହାସହ ମେଟ୍ରୋ, କୋଙ୍କଣ ରେଲଓ୍ବେ, ଉପନଗରୀୟ ଟ୍ରେନ୍ ମଧ୍ୟ ଚଳାଚଳ କରିବନାହିଁ ।  ଆଜି ରାତି ପର୍ଯ୍ୟନ୍ତ ଉପନଗରୀୟ ଟ୍ରେନ୍, କୋଲକତା ମେଟ୍ରୋ ସେବା ଜାରି ରହିବ ।  ଯେଉଁ ଟ୍ରେନ୍ ୨୨ ତାରିଖରୁ ୪ ଘଣ୍ଟା ପୂର୍ବରୁ ଚଳାଚଳ ଆରମ୍ଭ ହୋଇଥିଲା ସେହି ଟ୍ରେନ୍ ଗୁଡିକ ନିଜ ଗନ୍ତବ୍ୟସ୍ତଳ ପର୍ଯ୍ୟନ୍ତ ଯିବ । ରେଲଓ୍ବେ ବୋର୍ଡ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ରେଲଓ୍ବେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ ଆବଶ୍ୟକୀୟ ଜିନିଷର ପରିବହନ ଜାରି ରଖିବା ପାଇଁ ମାଲଗାଡିଗୁଡିକ ଚଳାଚଳ କରିବ । ତେବେ ୟାତ୍ରୀବାହୀ ଟ୍ରେନ ପ୍ରାୟତଃ ଭିଡ ରହୁଥିବାରୁ କରୋନା ସଂକ୍ରମଣରୁ ଯାତ୍ରୀଙ୍କ ସୁରକ୍ଷା ଏବେ ବଡ ଆହ୍ୱାନ ପାଲଟିଛି। ଟ୍ରେନରେ ଯାତ୍ରା କରି ୧୨ ଜଣ ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ରେଳମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ରେଳ ଯାତ୍ରୀମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଟ୍ରେନ୍ ଯାତ୍ରା କରିବା ବିପଦପୂର୍ଣ୍ଣ ହୋଇଯାଇଛି । ଏହାକୁ ନେଇ ରେଳ ମନ୍ତ୍ରଣାଳୟ ସତର୍କ ହୋଇଯାଇଛି ।  ଯାତ୍ରୀମାନଙ୍କୁ ରେଳ ଯାତ୍ରାରୁ ବର୍ତ୍ତିବା ପାଇଁ ପରାମର୍ଶ ଦିଆଯାଇଛି ।

{"id":242400,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.